ଖେଳ

କୁସ୍ତିବିତ୍‌ଙ୍କୁ ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଏତଲା ରୁଜୁ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରିବା ପରେ ଆନ୍ଦୋଳନରେ ବସିଥିବା ଶୀର୍ଷସ୍ତରୀୟ କୁସ୍ତିବିତ୍‌ଙ୍କୁ ହତ୍ୟା ଧମକ ଦିଆଯାଉଥିବା ନେଇ ନୂଆ ଅଭିଯୋଗ ଆସିଛି। ଏପରିକି ଟଙ୍କାର ଲୋଭ ମଧ୍ୟ ଦେଖାଯାଇଥିବା କୁହାଯାଇଛି।

ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ କହିଛନ୍ତି ଯେ, ଡବ୍ଲୁଏଫ୍‌ଆଇ ସମ୍ପାଦକ ବିନୋଦ ତୋମର ଓ ସଭାପତି ବ୍ରିଜଭୂଷଣଙ୍କ ଦୁଇ ସହଯୋଗୀ ହରିୟାଣା କୁସ୍ତି ସଂଘର ସମ୍ପାଦକ ରାକେଶ ସିଂହ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ମହାବୀର ବିଷ୍ଣୋଇ ଆଭିଯୋଗକାରୀଙ୍କୁ ଆନ୍ଦୋଳନରୁ ଉଠିଯିବାକୁ ପ୍ରବର୍ତ୍ତାଇବା ସହ ଅଭିଯୋଗ ଫେରସ୍ତ ନେବାକୁ ଚାପ ପକାଉଛନ୍ତି। ଏପରିକି ଧମକ ଦିଆଯିବାର ପ୍ରମାଣ ମଧ୍ୟ ତାଙ୍କ ପାଖରେ ରହିଥିବା ବଜରଙ୍ଗ କହିଛନ୍ତି। ଖୁବ୍‌ଶୀଘ୍ର ଏହା ଉପରେ ପୁଲିସ୍‌ ନିକଟରେ ଆଉ ଏକ ଏତଲା ଦିଆଯିବ ବୋଲି ବଜରଙ୍ଗ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ‌ପୁଲିସ୍‌ର ପକ୍ଷପାତିତା ସଂପର୍କରେ ବଜରଙ୍ଗ କହିଛନ୍ତି ଯେ, ଯେତେବେଳେ ପ୍ରଥମେ ଦିଲ୍ଲୀ ପୁଲିସ୍‌ ପାଖରେ ଅଭିଯୋଗ କରାଯାଇଥିଲା, ସେତେବେଳେ ସେମାନେ ରାଜନୈତିକ ଚାପରେ ଥିଲେ ଓ ସେଠାରେ ଅର୍ଥବଳର ପ୍ରଭାବ ରହିଥିଲା।

ଦିଲ୍ଲୀ ପୁଲିସ୍‌ କେବଳ ଯେ ଏତଲା ରୁଜୁ କଲାନାହିଁ ତାନୁହେଁ ବରଂ ସମସ୍ତ ୭ ଅଭିଯୋଗକାରୀଙ୍କ ନାମକୁ ବ୍ରିଜଭୂଷଣଙ୍କୁ ଜଣାଇଦେଇଥିଲା। ଏହାପରଠୁ ଅଭିଯୋଗ କରିଥିବା ୩ରୁ ୪ ଜଣ ବାଳିକାଙ୍କୁ ବ୍ରିଜଭୂଷଣ ନିୟମିତ ଭାବେ ଭୟଭୀତ କରିବାକୁ ପ୍ରୟାସ କରୁଥିଲେ। ବାହୁବଳୀ ନାମରେ ଜଣାଶୁଣା ଜଣେ ବ୍ୟକ୍ତିଙ୍କଠାରୁ ସେମାନେ ହତ୍ୟା ଧମକ ପାଇଥିଲା ବେଳେ ଅଭିଯୋଗ ଉଠାଇ ନେବାକୁ ସେମାନଙ୍କୁ ଟଙ୍କା ଯଚାଯାଇଥିବା ବଜରଙ୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି। ଅଭିଯୋଗ ଫେରାଇ ନେବା ପାଇଁ ବ୍ରିଜଭୂଷଣଙ୍କ ସହ ରାକେଶ ଓ ମହାବୀର ସାମ୍‌, ଦାମ୍‌, ଦଣ୍ଡ, ଭେଦ୍‌ ସବୁକିଛି ଲଗାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ଭ‌ିନେଶଙ୍କ ସ୍ବାମୀ ସୋମବୀର ରାଠିଙ୍କୁ ବାଡ଼ାବାଡି କରିବା ପାଇଁ ମହାବୀର ଧମକ ଦେଇଥିବା ଭିନେଶ ଅଭିଯୋଗ କରିଛନ୍ତି।ଏହି ଘଟଣା ଉପରେ ଦିଲ୍ଲୀ ପୁଲିସ୍‌କୁ ଦାୟୀ କରାଯାଇଥିଲା ବେଳେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଯାଉଥିବାରୁ ଅଭିଯୁକ୍ତମାନେ ଆମକୁ ଫଟାଇବାକୁ ସମୟ ପାଇଯାଉଛନ୍ତି। କିଛି ଲୋକ ଧମକ ଦେବା ପାଇଁ ଆମ ଘର ସହିତ ସଂପର୍କିୟଙ୍କ ଘରକୁ ମଧ୍ୟ ଯାଇଥିଲେ। ସେଠାରେ ଆମ ବିଷୟରେ ପଚରାପଚରି କରୁଥିଲେ। କୁଆଡ଼େ ଯାଉଛି, କାହାକୁ ଭେଟୁଛି, କେବେ ତାଙ୍କ ସହ ଏକୁଟିଆ କଥାବାର୍ତ୍ତା କରିହେବ ଇତ୍ୟାଦି ପ୍ରଶ୍ନ ପଚାରୁଥିବା ଭିନେଶ କହିଛନ୍ତି। ଏପରିକି ଅଲିମ୍ପିକ୍ସ ସମୟରେ ଟୋକିଓରେ ମହାବୀର ତାଙ୍କୁ ଧମକ ଦେଇଥିଲେ। ବ୍ରିଜଭୂଷଣ ତାଙ୍କୁ ମାରିଦେବେ ବୋଲି ମହାବୀର କହିଥିଲେ। ଏବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟିବାକୁ ସୁଯୋଗ ପାଇଥିଲା ବେଳେ ତାଙ୍କୁ ଏବିଷୟରେ ଅବଗତ କରାଇଥିଲେ। ଏହାସତ୍ତ୍ବେ ବ୍ରିଜଭୂଷଣ ଗିରଫ ହୋଇନାହାନ୍ତି। ତେଣୁ ଆମେ ଆଉ ସୁରକ୍ଷିତ ମଣୁନାହୁଁ। ଆମ ସହିତ ଓ ପରିବାର ସହିତ ସେମାନେ କିଛି ବି କରିପାରନ୍ତି ବୋଲି ଭିନେଶ କହିଥିଲେ। ସେହିପରି ସାକ୍ଷୀ ମଲ୍ଲିକଙ୍କ କହିବାନୁସାରେ, ଯଦି ପୂର୍ବରୁ ମନ୍ତ୍ରଣାଳୟ ଠିକଣା ସମୟରେ କିଛି ପଦକ୍ଷେପ ନେଇଥା’ନ୍ତା, ତାହେଲେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇନଥା’ନ୍ତା। କିନ୍ତୁ ଆଗାମୀ ପିଢିର କୁସ୍ତିବିତ୍‌ଙ୍କ ଭବିଷ୍ୟତ ଯେପରି ନଷ୍ଟ ନହେଉ, ସେଥିପାଇଁ ଏହି ଲଢେଇ ଜାରି ରହିବ।

Leave a Reply

Your email address will not be published. Required fields are marked *