ରାଜ୍ୟ

ବିନା ଫଳକରେ ଘୋଡାଦୌଡ଼ ଜେଟି ନିର୍ମାଣ

ବାଲୁଗାଁ : ଚିଲିକା ତହସିଲ ସୋରଣ ପଞ୍ଚୟତ ଅନ୍ତର୍ଗତ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ପେଣ୍ଠସ୍ଥଳୀ ଠାରେ ସ୍ଥାୟୀ ଜେଟି ନିର୍ମାଣ କାର୍ଯ୍ୟ ଜାରିରହିଛି।ହେଲେ ଏହି ନିର୍ମାଣ କାର୍ଯ୍ୟର କେତେ ବ୍ୟୟ ବରାଦ ଅଟକଳ ରହିଛି ତାହା ସମସ୍ତଙ୍କ ଅଗୋଚର ଥିବାବେଳେ କୌଣସି ଫଳକ ଟିଏ ମଧ୍ୟ ଲଗାଯାଇ ନାହିଁ।ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପ୍ରାପ୍ତ ଖବର ମୁତାବକ ଦୀର୍ଘ ବର୍ଷ ଧରି ଏହି ଘୋଡାଦୌଡ଼ ପେଣ୍ଠସ୍ଥଳୀରେ କିଛି ମୁଷ୍ଟିମେୟ ବ୍ୟକ୍ତି ଦଖଲ କରି ବେପାର ବଣିଜ କରିଆସୁଥିଲେ।ଯାହାକୁ ନେଇ ସଦାସର୍ବଦା ଦ୍ଵନ୍ଦ ଲାଗିରହୁଥିଲା।ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଜବର ଦଖଲ ଉଛେଦ ପାଇଁ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରାଯାଇଥିଲା।ଏଥିସହିତ ଚିଲିକା ତହସିଲଦାର ଗତ ମାର୍ଚ୍ଚ ୨୫ ରେ ଉଛେଦ ନେଇ ନୋଟିସ ମଧ୍ୟ ଜାରିକରିଥିଲେ।ମାତ୍ର କୌଣସି ସୁଫଳ ନମିଳିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୧୭ ତାରିଖରେ ଜବରଦଖଲ ଉଛେଦ କରାଯାଇଥିଲା।ଉଛେଦ ହେବାର ୧୫ ଦିନ ନପୁରୁଣୁ ସ୍ଥାୟୀ ଜେଟି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।ହେଲେ ଏହି କାର୍ଯ୍ୟ କିଏ କରୁଛି ଏବଂ କେତେ ବ୍ୟୟ ଅଟକଳରେ କଣ କଣ କରାଯିବ ତାହା ସନ୍ଧେହ ଘେରରେ ରହିଛି।ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ମସ୍ୟଜୀବୀ ଡଙ୍ଗା ଏହି ଜେଟି ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଦୈନନ୍ଦିନ ଏଠାରୁ ଟନ ଟନ ମାଛ,ଚିଙ୍ଗୁଡ଼ି, କଙ୍କଡା ବାହାରକୁ ରପ୍ତାନି କରାଯାଇଥାଏ।ତେଣୁ ଏଠାରେ କାହା ନିର୍ଦ୍ଦେଶରେ କିଏ କଣ ଓ କିଭଳି କାର୍ଯ୍ୟ କରୁଛନ୍ତି କେହି କିଛି ଜାଣିନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ବିନା କୌଣସି ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ କେଉଁ କଣ୍ଟ୍ରାକ୍ଟର ମନଇଚ୍ଛା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସ୍ଥାନୀୟ ମସ୍ୟଜୀବୀଙ୍କ ସମେତ ସାଧାରଣ ଲୋକମାନେ ଗୁରୁତର ଅଭିଯୋଗ କରିଛନ୍ତି।ବର୍ତ୍ତମାନ ଟ୍ରାକ୍ଟର ଯୋଗେ ଅହରହ ପଟୁ ମାଟି ଏବଂ ନାଲି ମୋରମରେ ଜାଗା ସବୁ ପୋତା ଯାଉଥିବା ବେଳେ କେଉଁ ମାଟି ପଡ଼ିବା କଥା ତାହାର ମାନ ପରୀକ୍ଷା କରିବା ଦୂରର କଥା କେବଳ ଦୁଇ ଜଣ ସୁପରଭାଇଜର ନିଯୁକ୍ତିରେ ଚାଲୁଛି।ଏହି ମାଟି ଆସୁଛି କେଉଁଠୁ ସେସମ୍ପର୍କରେ ଚିଲିକା ତହସିଲଦାର ଅବଗତ ଅଛନ୍ତି ନାଁ ନାହିଁ ଏଥିସହିତ ସ୍ଥାନୀୟ ଜନ ପ୍ରତିନିଧିମାନେ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ଅବଗତ ଅଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ ରହିଛି।ନିର୍ମାଣଧୀନ କାର୍ଯ୍ୟର କାର୍ଯ୍ୟସାରଣୀ ସହିତ ବ୍ୟୟବରାଦ ଅଟକଳ ଫଳକ ଲଗାଯିବାସହ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *