ରାଜ୍ୟ

ବାଉଁଶ ଖୁଣ୍ଟରେ ୧୧କେଭି ବିଦ୍ୟୁତ୍‌ ତାର

ଚମ୍ପୁଆ,: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଆସେଇଁକଳା ଗ୍ରାମରେ ଏକ ବାଉଁଶ ଖୁଣ୍ଟରେ ୧୧ କେଭି ବିଦ୍ୟୁତ୍‌ ତାର ଟଣାଯାଇଛି। ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖୁଣ୍ଟ ପରିବର୍ତ୍ତନ ହେଉନାହିଁ। କିଛି ଅଘଟଣ ପରେ ବିଭାଗ ଖୁଣ୍ଟ ପରିବର୍ତ୍ତନ କରିବାକୁ ଅପେକ୍ଷା କରିଥିବା କ୍ଷୋଭର ସହ ଗ୍ରାମବାସୀ କହିଛନ୍ତି।
ଯେ, ଗ୍ରାମର କେତେଜଣଙ୍କ ଘର ଉପର ଦେଇ ଦୀର୍ଘଦିନ ହେବ ୧୧କେଭି ବିଦ୍ୟୁତ୍‌ ତାର ଯାଇଛି। ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ନ ହେବାରୁ ଉକ୍ତ ବିଦ୍ୟୁତ୍‌ ତାର ଓହଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଲୋକଙ୍କ ଘର ଉପର ଦେଇ ୧୧ କେଭି ତାର ଯାଇଥିବାରୁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗ୍ରାମବାସୀ ମରାମତି କରିବାକୁ ସ୍ଥାନୀୟ ବିଭାଗୀୟ କର୍ମଚାରୀଙ୍କୁ ଜଣାଇବା ପରେ କିଛି ଫଳ ନ ମିଳିବାରୁ ଚମ୍ପୁଆ ବିଦ୍ୟୁତ୍‌ ଏସ୍‌ଡିଓଙ୍କୁ ଭେଟି ଏ ବାବଦରେ ଜଣାଇଥିଲେ। ତେବେ ଏହାର ମରାମତି କାର୍ଯ୍ୟ ନିଜେ କର, ବିଭାଗ ପକ୍ଷରୁ କରିବାକୁ ହେଲେ, କିଛି ଅର୍ଥ ଖର୍ଚ୍ଚ କରି ଖୁଣ୍ଟ କିଣିବାକୁ ପଡ଼ିବ, ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କୁହାଯାଇଥିବା ଗ୍ରାମବାସୀ କହିଛନ୍ତି। କୌଣସି ଉପାୟ ନ ପାଇ କେନ୍ଦୁଝରରୁ କିଛି ବିଦ୍ୟୁତ୍‌ ଉପକରଣ କ୍ରୟକରି ବାଉଁଶ ଅଗରେ ଲଗାଇ ୧୧କେଭି ତାରକୁ ଉପରକୁ ଉଠାଇ ରଖିଛନ୍ତି। ନିକଟ ଅତୀତରେ ଏହିପରି ବାଉଁଶ ଖୁଣ୍ଟରେ ତାରକୁ ଟେକି ରଖାଯାଇଥିବା ବେଳେ ତାହା ଜଳିଯାଇଥିବା ଗ୍ରାମବାସୀ ଖବରଦାତାଙ୍କ ଆଗରେ ପ୍ରକାଶ କରିଛନ୍ତି। ଏ ନେଇ ଯୋଡ଼ା ବିଦ୍ୟୁତ୍‌ ବିଭାଗ ଡିଭିଜନର ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ଜେନା ବିଦ୍ୟୁତ ତାର ଓହଳିଥିବା ଘଟଣାକୁ ଅସ୍ବୀକାର କରିଥିଲେ। ବିଦ୍ୟୁତ୍‌ ତାରକୁ ସ୍ଥାନାନ୍ତରିତ ନ କରି ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଲଟା ଅଭିଯୋଗ କରିଥିଲେ। ତେବେ ଉକ୍ତ ଗ୍ରାମରେ ଦୀର୍ଘ ମାସ ହେବ ଏପରି ବିପଦପୂର୍ଣ୍ଣ ଭାବେ ରହିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ଯଦି ଖସି ପଡ଼ି କୌଣସି ଅଘଟଣ ଘଟେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଜିଲାପାଳ ଦୃଷ୍ଟିଦେବାକୁ ଗ୍ରାମବାସୀ ପବିତ୍ର ବେହେରା, କାଳନ୍ଦୀ ବେହେରା, ଗୋବିନ୍ଦ ଓରାମ, ଟୁଲୁ ଓରାମ, ହେମନ୍ତ ବେହେରା, ରଥ ବେହେରା, ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *