ଦେଶ- ବିଦେଶ

ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ କାହାର ହାତ ରହିଛି। ପ୍ରକୃତରେ ଭିଡିଓଟି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଶାଶୁ ତଥା ନାମୀ ଆଇଟି କମ୍ପାନୀ ଇନଫୋସିସର ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କର। ଏହି ଭିଡିଓରେ ସେ ଦାବି କରିଛନ୍ତି କି ତାଙ୍କ ଝିଅ ପାଇଁ ଋଷି ସୁନକ ବ୍ରିଟେନର ସବୁଠାରୁ କମ ବୟସର ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ସୁଧା ମୂର୍ତ୍ତି କହିଛନ୍ତି, ମୁଁ ମୋ ସ୍ବାମୀଙ୍କୁ ବିଜନେସମ୍ୟାନ କରିଥିଲି। ସେମିତି ମୋ ଝିଅ ଅକ୍ଷରା ତାଙ୍କ ସ୍ବାମୀଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ କରିଛନ୍ତି। ଏହାର କାରଣ ହେଉଛି ପତ୍ନୀଙ୍କ ମହିମା। ସେ କହିଛନ୍ତି, ଦେଖନ୍ତୁ ଜଣେ ପତ୍ନୀ କିପରି ତାଙ୍କ ପତିଙ୍କୁ ବଦଳାଇ ଦେଇପାରନ୍ତି, ହେଲେ ମୁଁ ପତିଙ୍କୁ ବଦଳାଇ ପାରିଲି ନାହିଁ। ମୁଁ ମୋ ସ୍ବାମୀଙ୍କୁ ବିଜନେସମ୍ୟାନ କଲି ଓ ମୋ ଝିଅ ତାଙ୍କ ପତିଙ୍କୁ ପ୍ରଧାନମନ୍ତ୍ରୀ କରିଦେଲେ।
ସୁଧା ଆହୁରି ମଧ୍ୟ କହିଛନ୍ତି, ଅକ୍ଷରା ଓ ଋଷି ପରସ୍ପରର ବେଶ ଧ୍ୟାନ ରଖିଥାଆନ୍ତି। ଅକ୍ଷରା ସବୁବେଳେ ଋଷିଙ୍କ ଖାଇବାକୁ ନେଇ ଚିନ୍ତିତ ଥିବା ବେଳେ ଋଷି ଆମ ପରମ୍ପରା ଉପରେ ବିଶେଷ ଧ୍ୟାନ ଦେଇଥାଆନ୍ତି। ମୂର୍ତ୍ତି ପରିବାରେରେ ବହୁ ପୂର୍ବରୁ ଗୁରୁବାର ବ୍ରତ ରଖାଯାଇଥାଏ। ସୁନକ ବହୁ ପୂର୍ବରୁ ଲଣ୍ଡନରେ ରହି ଆସୁଛନ୍ତି, ହେଲେ ସେ ଖୁବ ଧାର୍ମିକ। ସେ ମୋ ଝିଅକୁ ବିବାହ କରିବା ପରେ ମୂର୍ତ୍ତି ପରିବାରର ପରମ୍ପରା ଉପରେ ଧ୍ୟାନ ଦେଇଥାଆନ୍ତି। ସେ ବିବାହ ପରେ ହିଁ ଗୁରୁବାର ବ୍ରତ ରଖୁଛନ୍ତି। ହେଲେ ସୁନକଙ୍କ ମାଆ ସବୁ ସୋମବାର ବ୍ରତ କରିଥାଆନ୍ତି।

Leave a Reply

Your email address will not be published. Required fields are marked *