ମୁଖ୍ୟ ଖବର

ଚାପିଦେଲା ଟ୍ରକ୍‌ : ସ୍ବାମୀ ସହ ଚାଲିଗଲା ସ୍ତ୍ରୀର ଜୀବନ

କଂଟାବାଞ୍ଜି: ମୃତ୍ୟୁ ଏମିତିବି ଆସେ। ଛୁଆ ଜନ୍ମ କରିବା ପାଇଁ ମା’ ଯନ୍ତ୍ରଣା ପାଉଥିବା ବେଳେ ଦୁର୍ଘଟଣା ଘଟିଛି। ଡାକ୍ତରଖାନା ଯାଇ ଥରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଦେବା ବୋଲି ସ୍ୱାମୀକୁ କହି ଯାଉଥିଲେ। ହେଲେ ରାସ୍ତାରେ ହିଁ ଯମ ଅପେକ୍ଷା କରିଥିଲା। ନିଜ ସ୍ତ୍ରୀଙ୍କୁ ଏକ ବାଇକ୍ ଯୋଗେ ଡାକ୍ତରଖାନା ନେଉଥିବା ବେଳେ ପଛ ପଟୁ ଏକ ଦ୍ରୁତଗାମୀ ଟ୍ରକ୍‌ ଚାପି ଦେଇଛି। ଟ୍ରକ ଭିତରେ ବାଇକ୍ ସହ ପଶିଯାଇଛନ୍ତି ଦୁଇ ସ୍ୱାମୀ-ସ୍ତ୍ରୀ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ପ୍ରାଣ ବାୟୁ ଉଡ଼ିଯାଇଛି। ମୃତକମାନେ ହେଲେ ଅଶୋକ ମାଝୀ (୨୬) ଓ ଲଳିତା ମାଝୀ (୨୧)।

ସୁଚନା ଅନୁସାରେ ତୁରେକେଲା ବ୍ଲକ ଗଇନ୍ଦିମାଲର ଅଶୋକ ମାଝୀ ନିଜ ସ୍ତ୍ରୀ ଲଲିତା ମାଝୀଙ୍କୁ ନେଇ ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ। ଗଇନ୍ଦିମାଲ ଗାଁରୁ ମାତ୍ର ଦୁଇ କିମି ଗଲା ପରେ ଲାନ୍ଥ ନଦୀ ପାଖରେ ପଛପଟୁ ତୁରେକେଲାରୁ ରାୟପୁର ଯାଉଥିବା ଏକ ଟ୍ରକ୍‌ (ସିଜି-୦୪ଜେସି ୬୦୮୫) ପଛ ପଟୁ  ଧକ୍କା ଦେଇଥିଲା। ଟ୍ରକ ଭିତରେ ହିଁ ଦୁଇ ଜଣ ବାଇକ ସାଙ୍ଗରେ ପଶି ଯାଇ ଚାପି ହୋଇ ଯାଇଥିଲେ।

ଏହି ଘଟଣା ପରେ ଟ୍ରକ୍‌ ଡ୍ରାଇଭର ସେଠାରୁ ଫେରାର୍ ହୋଇଥିଲା। ସ୍ଥାନୀୟ ଲୋକ ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଘଟଣାସ୍ଥଳରେ ହିଁ ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଚାଲିଯାଇଥିଲା। ପରେ ଖବର ପାଇ ତୁରେକେଲା ପୁଲିସ ଘଟଣାସ୍ଥଳରେ ପଂହଚି ଏହାର ତଦନ୍ତ କରିଛି। ଗାଁ ଲୋକଙ୍କ କହିବା ଅନୁସାରେ ଆଉ କିଛି ଦୂର ଯାଇଥିଲେ ଗର୍ଭବତୀ ମହିଳା ଶିଶୁ ଜନ୍ମ କରିଥାନ୍ତେ। ତେବେ ଏହି ଘଟଣା ପରେ ଗଇନ୍ଦିମାଲ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *