ମୁଖ୍ୟ ଖବର

ବିଜେପି’ର ନିର୍ବାଚନ ଇସ୍ତାହାରରେ ମାଗଣା ନନ୍ଦିନୀ ଦୁଗ୍ଧ ଓ ରନ୍ଧନ ଗ୍ୟାସ୍‌

ବେଙ୍ଗାଲୁରୁ: ‘ୟୁନିଫର୍ମ ସିଭିଲ୍‌ କୋଡ୍‌’, ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତି, ମାଗଣା ନନ୍ଦିନୀ ଦୁଗ୍ଧ ଓ ରନ୍ଧନ ଗ୍ୟାସ୍‌ ଯୋଗାଣ ଆଦି ପ୍ରତିଶ୍ରୁତି ଦେଇ ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ‘ବିଜେପି’ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି।

‘ବିଜେପି ପ୍ରଜା ପ୍ରଣାଳିକେ’ ନାମକ ଉକ୍ତ ଇସ୍ତାହାରକୁ ଆଜି ବେଙ୍ଗାଲୁରୁରେ ଦଳର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବସବରାଜ ଏସ୍. ବୋମାଇ ଏବଂ ଦଳର ବର୍ଷୀୟାନ୍‌ ନେତା ବି. ଏସ୍‌. ୟେଦିୟୁରପ୍ପା ମଧ୍ୟ ଉପସ୍ଥିତ ଥିଲେ।

ଗଣମାଧ୍ୟମକୁ ସମ୍ବୋଧନ କରି ନଡ୍ଡା କହିଛନ୍ତି, ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଆଲୋଚନା କରିବା ପରେ ଏହି ଇସ୍ତାହାର ପ୍ରକାଶ କରାଯାଇନାହିଁ। ଦଳର କର୍ମୀମାନେ ରାଜ୍ୟର ସବୁ ପ୍ରାନ୍ତକୁ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟାବଳି ଆଧାରରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

ନଡ୍ଡା ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ପ୍ରତି ‘ବିଜେପି’ର ବିଚାରଧାରା ହେଉଛି, ସମସ୍ତଙ୍କ ପ୍ରତି ବିଚାର, କାହା ପ୍ରତି ତୁଷ୍ଟିକରଣ ନୁହେଁ। ରାଜ୍ୟରେ ସଂଖ୍ୟାଲଘୁଙ୍କ ନିମନ୍ତେ ଥିବା ଅସାମ୍ବିଧାନିକ ସଂରକ୍ଷଣକୁ ମଧ୍ୟ ତାଙ୍କ ଦଳର ସରକାର ଉଚ୍ଛେଦ କରି ଦେଇଛନ୍ତି।

ସେହିପରି, ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଆଧାର କରି ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଣୟନ କରାଯିବ ବୋଲି ଉକ୍ତ ଇସ୍ତାହାରରେ ଉଲ୍ଲେଖ ଅଛି। ଏଥିରେ ଥିବା ଅନ୍ୟାନ୍ୟ ପ୍ରତିଶ୍ରୁତି ମଧ୍ୟରେ ରହିଛି, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଗୁଡ଼ିକୁ ମାସିକ ରେସନ୍‌ କିଟ୍‌, ଅନୁସୂଚିତ ଜାତି/ଜନଜାତି ମହିଳମାନଙ୍କ ପାଇଁ ‘ଫିକ୍ସଡ୍‌ ଡିପୋଜିଟ୍’ ଯୋଜନା ଏବଂ କର୍ଣ୍ଣାଟକକୁ ଇଲେକ୍ଟ୍ରିକ୍‌ ଯାନବାହନର ‘ହବ୍‌’ କରିବାର ଯୋଜନା ଇତ୍ୟାଦି। ଏହାଛଡ଼ା, ‘ବିପିଏଲ୍‌’ ପରିବାରକୁ ବର୍ଷକୁ ୩ଟି (ୟୁଗାଡ଼ି, ଗଣେଶ ଚତୁର୍ଥୀ ଓ ଦୀପାବଳି) ମାଗଣା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଯୋଗାଇ ଦିଆଯିବ ବୋଲି ଏଥିରେ ଉଲ୍ଲେଖ ଅଛି।

Leave a Reply

Your email address will not be published. Required fields are marked *