ଦେଶ- ବିଦେଶ

ତୁରନ୍ତ ଛାଡ଼ପତ୍ର ଦେଇହେବ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ‘ନୈରାଶ୍ୟଜନକ ସମ୍ବନ୍ଧ ବିଚ୍ଛେଦ’‌ ବା ପୁନର୍ବାର ସୁସମ୍ପର୍କ ଅସମ୍ଭବ ମନେହେଉଥିବା କ୍ଷେତ୍ରରେ ତୁରନ୍ତ ଛାଡ଼ପତ୍ର କରାଯାଇ ପାରିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା ୧୪୩ ଅନୁଯାୟୀ ବିଶେଷ କ୍ଷମତା ପ୍ରୟୋଗ କରି ଅଦାଲତ ପାରସ୍ପରିକ ସମ୍ମତିଦ୍ବାରା ଛାଡ଼ପତ୍ର ପାଇଁ  ଥିବା ବାଧ୍ୟତାମୂଳକ ୬ ମାସ ଅପେକ୍ଷା ସମୟସୀମାକୁ ରଦ୍ଦ କରିପାରିବେ। କିନ୍ତୁ, ଏଥିପାଇଁ ସର୍ତ୍ତାବଳି ରହିବ। ସମ୍ବନ୍ଧରେ ସୁଧାର ନୈରାଶ୍ୟଜନକ ବୋଲି ଉଭୟ ପକ୍ଷ ବା କୌଣସି ଗୋଟିଏ ପକ୍ଷଙ୍କୁ ପ୍ରମାଣ ଦେବାକୁ ପଡ଼ିବ।

ବିଚାରପତି ଏସ୍‌. କେ. କାଉଲ୍‌, ସଞ୍ଜୀବ ଖାନ୍ନା, ଏ. ଏସ୍‌. ଓକା, ବିକ୍ରମ ନାଥ ଏବଂ ଜେ. କେ. ମାହେଶ୍ବରୀଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନରେ ନିର୍ଦ୍ଧାରଣ କରାଯାଇଥିବା ‘୬ ମାସ ପ୍ରତୀକ୍ଷା ସମୟ’ ସବୁ କ୍ଷେତ୍ରରେ ବାଧ୍ୟତାମୂଳକ ନ‌ୁହେଁ,  କେତେକ କ୍ଷେତ୍ରରେ ଏହାକୁ ଏଡ଼ାଇ ଦିଆଯାଇ ପାରିବ।

ଏହାଛଡ଼ା, ଭରଣପୋଷଣ ଦେୟ ଓ ପିଲାମାନଙ୍କ ଅଧିକାର ସଂକ୍ରାନ୍ତରେ ସମନ୍ବୟ ରକ୍ଷା କରିବା କଥା ମଧ୍ୟ ଖଣ୍ଡପୀଠ କହିଛନ୍ତି।

‘ନୈରାଶ୍ୟଜନକ ସମ୍ବନ୍ଧ ବିଚ୍ଛେଦ’‌ କ୍ଷେତ୍ରରେ ଛାଡ଼ପତ୍ର ପାଇବା ପାଇଁ ପରିବାର ଅଦାଲତର ଦୀର୍ଘକାଳୀନ ବିଚାର ପ୍ରକ୍ରିୟା ଓ କାଉନ୍‌ସେଲିଙ୍ଗ୍‌ ଆଦିକୁ ଏଡ଼ାଇ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସର୍ବୋଚ୍ଚ ଅଦାଲତ ନିଜର କ୍ଷମତା ପ୍ରୟୋଗ କରି ବିବାହ ବିଚ୍ଛେଦ କରାଇ ପାରିବେ କି, ବୋଲି ଆଗତ କେତେଗୁଡ଼ିଏ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।

୨୦୨୨, ‌ସେପ୍ଟେମ୍ବର ୨୯ରେ ସୁପ୍ରିମ୍‌ କୋର୍ଟ ଉକ୍ତ ପିଟିସନ୍‌ଗୁଡ଼ିକର ଶୁଣାଣି କରି ନିଷ୍ପତ୍ତି ବା ରାୟ ସଂରକ୍ଷିତ ରଖିଥିଲେ।

ସମ୍ବିଧାନର ଧାରା ୧୪୨ ଅନୁସାରେ, ସୁପ୍ରିମ୍‌ କୋର୍ଟରେ ପଡ଼ିରହିଥିବା ଯେକୌଣସି ମାମଲାର ‘ସମ୍ପୂର୍ଣ୍ଣ ବିଚାର’ ପାଇଁ ସୁପ୍ରିମ୍‌ କୋର୍ଟ ଆଦେଶନାମା ଜାରି କରିପାରିବେ।

Leave a Reply

Your email address will not be published. Required fields are marked *