ମୁଖ୍ୟ ଖବର

୭ ତାରିଖରେ ଲଘୁଚାପ, ୯ରେ ନେଇପାରେ ‘ବାତ୍ୟା’ : ପାଣିପାଗ ବିଭାଗ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ୭ ତାରିଖ ବେଳକୁ  ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ସାମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆକଳନ କରିଛି। ଏହି ଘୂର୍ଣ୍ଣିବଳୟ ୭ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଆଉ ୮ ତାରିଖକୁ ଏହା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୯ ତାରିଖରେ ବାତ୍ୟା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ୭ ତାରିଖରୁ ବଙ୍ଗୋପସାଗର ଭିତରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଫଳରେ ୭ ତାରିଖରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯାଆନ୍ତୁ। ଭାରତୀୟ ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ପାଇଁ ସତର୍କ ସୂଚନା ଜାରି କରିଛି। ସମୁଦ୍ର ଭିତରେ ବାତ୍ୟା ନେଇ ପାରିପାର୍ଶ୍ୱିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ଯଦି ବାତ୍ୟା ହୁଏ ଏହା ଭାରତୀୟ ଉପକୂଳରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

Leave a Reply

Your email address will not be published. Required fields are marked *