ରାଜ୍ୟ

ବଜ୍ରପାତରେ ନବ ବିବାହିତାଙ୍କ ମୃତ୍ୟୁ

ରାଇରଙ୍ଗପୁର: ବଜ୍ରପାତରେ ନବ ବିବାହିତା ମହିଳାଙ୍କ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢୋଳ ଗ୍ରାମର ହିକେଇସାହିରେ। ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଣୀପାଳ ଗ୍ରାମର ସିଦ୍ଧ‌ ମାରାଣ୍ଡିଙ୍କ ସହିତ ସୁଣ୍ଢୋଳ ଗ୍ରାମ ହିକେଇ ସାହି ର ସାଙ୍ଖୋ ମାରାଣ୍ଡିଙ୍କ ଝିଅ ବବିତା ମାରାଣ୍ଡିଙ୍କ ବିବାହ ଚାରି ପାଞ୍ଚ ମାସ ପୂର୍ବରୁ ସାନ୍ତାଳୀ ରୀତିନୀତିରେ ହୋଇଥିଲା। ତେବେ ଆସନ୍ତା ୯ ତାରିଖ ସାନ୍ତାଳୀ ପରମ୍ପରା ଅନୁଯାୟୀ ସୁଣ୍ଢୋଳ ଗ୍ରାମ ହିକେଇସାହିରେ ପ୍ରାଇଜ୍ ଖାଇବା ଭୋଜି ଆୟୋଜନ ହୋଇଥିବା ବେଳେ ବବିତା ମାରାଣ୍ଡି ମାଆ ଘର ହିକେଇସାହିକୁ କିଛି ଦିନ ପୂର୍ବରୁ ଆସିଥିଲେ।

ତେବେ ଆଜି ଦିନ ପ୍ରାୟ ୧୨.୦୦ଟା ସମୟ କାଳବୈଶାଖୀ ଜନିତ ବର୍ଷା ହୋଇଥିଲା ଓ ତା ସହିତ ପ୍ରବଳ ବିଜୁଳି ଓ ଘଡଘଡି ହେଉଥିଲା। ସେହି ସମୟରେ ବବିତା ମାଆ ଘରେ ଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଅଚେତ ଅବସ୍ଥାରେ ଘର ଭିତରେ ପଡି ରହିଥିଲେ। ପରିବାର ଲୋକେ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଗୋରୁମହିଷାଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ଗୋରୁମହିଷାଣି ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *