ଅପରାଧ

ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୯ କଡ଼ରେ ମକରଝୋଳ ଗାଁ ନିକଟ ବିଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ମୃତା ମହିଳା ଜଣକ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ସଂଯୁକ୍ତା ପଟ୍ଟନାୟକ । ସେ ଗୌତମୀ ଗ୍ରାମରେ ବସନ୍ତ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ତେବେ ସଂଯୁକ୍ତା ଗୌତମୀ ଗ୍ରାମର ଅଜିତ ଷଡ଼ଙ୍ଗୀଙ୍କ ଅବୈଧ ସମ୍ପର୍କ ରଖିଥିଲେ। ସେ ଗତ ବିଷୁବ ସଂକ୍ରାନ୍ତିରେ ଗୌତମୀରୁ ବାପଘର ସମରଝୋଳ ଆସିଥିଲେ। ଅଜିତ ମଧ୍ୟ ନିୟମିତ ସମରଝୋଳ ସଂଯୁକ୍ତାଙ୍କ ସହ ଦେଖା କରିବାକୁ ଆସୁଥିଲେ। ସୋମବାର ରାତିରେ ସଂଯୁକ୍ତାଙ୍କୁ ବାଇକ୍‌ରେ ଧରି ଅଜିତ ଜାତୀୟ ରାଜପଥ ନଂ ୫୯ କଡ଼ ମକରଝୋଳର ଏକ ନିଛାଟିଆ ବିଲକୁ ନେଇଥିଲେ। ସଂଯୁକ୍ତା ସେହି ସମୟରେ ତାଙ୍କୁ ବିବାହ କରିବାକୁ ଅଜିତଙ୍କ ଉପରେ ଚାପ ପକାଇଥିଲେ। ଏଥିରେ କଥା କଟାକଟି ହେବା ସହ ଅଜିତ ଉତ୍ତେଜିତ ହୋଇ ସଂଯୁକ୍ତାଙ୍କୁ ଆକ୍ରମଣ କରି ଓଢଣୀରେ ବେକକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ସମରଝୋଳ ସରପଞ୍ଚଙ୍କ ଏତଲା କ୍ରମେ ଥାନାରେ ନଂ ୨୯୬/୨୩ ମାମଲା ରୁଜୁ ହୋଇ ତଦନ୍ତ ପରେ ବୁଧବାର ଗୌତମୀ ନିକଟରୁ ଅଭିଯୁକ୍ତ ଅଜିତ ଷଡ଼ଙ୍ଗୀଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ବୋଲି ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।

SHARE

Leave a Reply

Your email address will not be published. Required fields are marked *