ମୁଖ୍ୟ ଖବର

ବିଲାୱଲ୍ ଆତଙ୍କବାଦ ଶିଳ୍ପର ମୁଖପାତ୍ର : ଜୟଶଙ୍କର

ନୂଆଦିଲ୍ଲୀ : ଭାରତୀୟ ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ତାଙ୍କ ପାକ୍ ପ୍ରତିପକ୍ଷଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି। ଗୋଆ ରାଜଧାନୀ ପଣଜୀରେ ଚାଲିଥିବାସାଂଘାଇ ସହଯୋଗ ସଂଗଠନ(ଏସସିଓ )ର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପାକିସ୍ତାନୀ ବିଦେଶ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋ ଜର୍ଦ୍ଦାରିଙ୍କୁ ଆତଙ୍କବାଦୀ ଶିଳ୍ପର ମୁଖପାତ୍ର ବୋଲି କହିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଆତଙ୍କବାଦୀ ଶିଳ୍ପର ମୁଖପାତ୍ର ହେଉଛନ୍ତି  ପାକ୍ ବିଦେଶମନ୍ତ୍ରୀ । ଆତଙ୍କବାଦର ଶିକାର ହେଉଥିବା ବ୍ୟକ୍ତି ଏବଂ ଷଡଯନ୍ତ୍ରକାରୀମାନେ ଏକାଠି ବସିପାରିବେ ନାହିଁ। ସେ ସଫା ସଫା କହିଛନ୍ତି ଯେ ଜମ୍ମୁକଶ୍ମୀର ଭାରତର  ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ।

ଏହି ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର  ସମସ୍ତ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ | ଏହି ବୈଠକରେ ଯୋଗ ଦେବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରି ମଧ୍ୟ ପହଞ୍ଚିଛନ୍ତି | ତେବେ ବିଲାୱାଲଙ୍କ ସହ ଜୟଶଙ୍କର ହାତ ମିଳାଇ ନମସ୍କାର କରିଥିଲେ। ଏହାକୁ ନେଇ ଆଲୋଚନା ଜୋର ଧରିଛି |

ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି ଯେ ଏସସିଓ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଭାବରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରିଙ୍କୁ ଅନ୍ୟ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଭଳି ସମାନ ବ୍ୟବହାର କରାଯାଇଛି।

ସେହିପରି ଜମ୍ମୁ କଶ୍ମୀରକୁ ନେଇ ଜୟଶଙ୍କର କହିଛନ୍ତି ଯେ ଜମ୍ମୁକଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ। ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପରି ଜମ୍ମୁକଶ୍ମୀରରେ ମଧ୍ୟ ଜି -୨୦ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି, ଏଥିରେ କୌଣସି ଅସାମାନ୍ୟ ଘଟଣା ନାହିଁ। ତେବେ ଭାରତ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ କରିବା କାରଣରୁ ଦ୍ବିପାକ୍ଷିକ କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି କହିଥିଲେ ଜର୍ଦ୍ଦାରି ।

Leave a Reply

Your email address will not be published. Required fields are marked *