ରାଜନୀତି

କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଗିରଫ କଲା ଆସାମ ପୁଲିସ

ନୂଆଦିଲ୍ଲୀ: ଆଜି ଦଳୀୟ ଅଧିବେଶନରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି।

ପବନ ଖେଡ଼ାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦିଲ୍ଲୀ ବିମାନ ବନ୍ଦରର ୧ ନମ୍ବର ଟର୍ମିନାଲ୍‌ରେ ସାଂସଦଙ୍କ ସମେତ ପ୍ରାୟ ୫୦ଜଣ କଂଗ୍ରେସ ନେତା ଧାରଣାରେ ବସି ବିମାନଟିକୁ ରାୟପୁର ଛାଡୁ ନାହାନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଆସାମ ପୁଲିସ ଆଦେଶକ୍ରମେ ବରିଷ୍ଠ କଂଗ୍ରେସ ମୁଖପାତ୍ର ଖେଡ଼ାଙ୍କୁ ଜବରଦସ୍ତି ଇଣ୍ଡିଗୋ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ପରେ ପରେ ଆସାମ ପୁଲିସ ‘ଏଫ୍‌ଆଇଆର୍‌’ ନେଇ ବିମାନ ବନ୍ଦରରେ ପହଞ୍ଚି ଖେଡ଼ାଙ୍କୁ ଗିରଫ କରିଛି। ଖେଡ଼ା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିଛନ୍ତି ବୋଲି ଜଣେ ‘ବିଜେପି’ ନେତାଙ୍କ ଅଭିଯୋଗକୁ ଆଧାର କରି ଉକ୍ତ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଥିଲା।

ଏହି ଘଟଣାରେ ବହୁସଂଖ୍ୟକ କଂଗ୍ରେସ ନେତା ବିମାନରୁ ଅବତରଣ କରି ସ୍ଲୋଗାନ୍‌ ଦେବା ସହିତ ବିମାନ ପାଖରେ ଧାରଣା ଦେଇଛନ୍ତି।

ଖେଡ଼ା କହିଛନ୍ତି, ମୋ ପାଖରେ ମାତ୍ର ଗୋଟିଏ ହ୍ୟାଣ୍ଡ୍‌ବ୍ୟାଗ୍‌ ଥିଲେ ବି ସେଥିରେ ଅସୁବିଧା ଅଛି ବୋଲି ପ୍ରଥମେ ମତେ କୁହାଗଲା। ତା’ପରେ କୁହାଗଲା କି, ମୁଁ ବିମାନ ଯାତ୍ରା କରିପାରିବି ନାହିଁ। ତା’ପରେ କୁହାଗଲା ‘ଡିସିପି’ ଆପଣଙ୍କୁ ଭେଟିବେ। ସେଥିପାଇଁ ମୁଁ ଦୀର୍ଘ ସମୟ ଧରି ଅପେକ୍ଷା କଲି।

ଉଲ୍ଲେଖଯୋଗ୍ୟ, ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ ସଭାରେ ଯୋଗ ଦେବା ପାଇଁ ବହୁସଂଖ୍ୟକ କଂଗ୍ରେସ ନେତାଙ୍କ ସହିତ ଖେଡ଼ା ରାୟପୁର ଯାଉଥିଲେ।

Leave a Reply

Your email address will not be published. Required fields are marked *