ଅପରାଧ

ବଡ଼ବିଲ ପୌରାଧ୍ୟକ୍ଷଙ୍କ ସହଯୋଗୀ ମୃତ୍ୟୁ ଘଟଣା: ମହିଳା ମାଷ୍ଟରମାଇଣ୍ଡ ଗିରଫ

ବଡ଼ବିଲ: ଦିନ ଦ୍ବିପ୍ରହରରେ ଗତ ୧ ତାରିଖ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରସ୍ଥିତ ମୋନି ଟାୱାର ଛକ ନିକଟରେ ସ୍ଥାନୀୟ ପୌରାଧ୍ୟକ୍ଷଙ୍କ ଅତି ଘନିଷ୍ଠ ସହଯୋଗୀ ସୁନୀଲ ସିହ୍ନା ଓରଫ ଭୋଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମିଳିଥିବା ଖବର ଅନୁଯାୟୀ ବଡ଼ବିଲ ପୌରାଞ୍ଚଳ ୫ ନମ୍ବର ୱାର୍ଡ, ବିକାଶ ମହଲ ନିକଟରେ ରହୁଥିବା ସୁଖବିନ୍ଦର କୌର ଓରଫ ରୋଜି ନାମକ ମହିଳା, ନିର୍ବାଚନ ସମୟରେ ବର୍ତ୍ତମାନର ପୌରାଧ୍ୟକ୍ଷଙ୍କୁ ସହଯୋଗ କରିଆସୁଥିଲେ ଓ ସେଥିପାଇଁ ସେ ଆର୍ଥିକ ସହାୟତା ପାଇଆସୁଥିଲେ। ପରବର୍ତ୍ତୀ ସମୟରେ ସୁନୀଲ ସିହ୍ନା ନାମକ ଯୁବକଙ୍କ ସହ ପୌରାଧ୍ୟକଙ୍କ ଘନିଷ୍ଠତା ବୃଦ୍ଧି ପାଇଥିଲା। ସୁନୀଲଙ୍କ ସହ ପୌରାଧ୍ୟକ୍ଷଙ୍କ ଘନିଷ୍ଠତା ହେବାପରେ, ରୋଜିଙ୍କୁ ଯୋଗାଇ ଆସୁଥିବା ଆର୍ଥିକ ସହାୟତକୁ ପୌରାଧ୍ୟକ୍ଷ ବନ୍ଦ କରିଦେବା ସହ ତାଙ୍କୁ ଆଉ ପ୍ରାଧାନ୍ୟ ଦେଇନଥିଲେ ଅଧ୍ୟକ୍ଷ।

ଆର୍ଥିକ ସ୍ଥିତି ଭଲ ନଥିବାବେଳେ, ରୋଜିଙ୍କୁ ସହାୟତା ବନ୍ଦ କରିଦେବାରୁ ସୁନୀଲ ଉପରେ ରୋଜିଙ୍କ ସନ୍ଦେହ ହୋଇଥିଲା ଯେ ସୁନୀଲ ପୌରାଧ୍ୟକ୍ଷଙ୍କୁ ଶିଖାଇ ତାକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିଦେଇଛି। ସୁନୀଲଙ୍କୁ ରାସ୍ତାରୁ ହଟାଇଦେଲେ ସେ ପୌରାଧ୍ୟକ୍ଷଙ୍କ ଘନିଷ୍ଠ ହୋଇପାରିବ ଓ ପୂର୍ବପରି ଆର୍ଥିକ ସହାୟତା ମଧ୍ୟ ପାଇବ। ସୁନୀଲଙ୍କୁ ରାସ୍ତାରୁ ହଟାଇବାପାଇଁ ମହିଳା ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଖବିନ୍ଦର କୌର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସୁଖବିନ୍ଦରଙ୍କ ପୁଅର ସାଙ୍ଗ ହେଉଛି ବଡ଼ବିଲ ଅଂଚଳର ସାକୀର ନାମକ ଯୁବକ। ସୁଖବିନ୍ଦରଙ୍କ ସହ ସାକୀରର ଘନିଷ୍ଠତା ବୃଦ୍ଧି ପାଇବାପରେ, ସୁନୀଲଙ୍କୁ
ଜୀବନରେ ମାରିଦେବାକୁ ସାକୀରକୁ ବାଧ୍ୟ କରିଥିଲା ସୁଖବିନ୍ଦର। ପଡୋଶୀ ଝାଡ଼ଖଣ୍ଡ ରାଜ୍ୟ, ଚକ୍ରଧରପୁର ଅଂଚଳର ଅପରାଧୀ ରିଆସତ ହୁସେନ ସହିତ ସାକୀରର ପରିଚିତ ଥିଲା। ସୁନୀଲକୁ ହତ୍ୟା କରିବାପାଇଁ, ସାକୀର ଚକ୍ରଧରପୁର ଯାଇ ରିଆସତ ସହ ଯୋଗାଯୋଗ କରିଥିଲା। ଲିଆକତ ତାର ଜଣେ ଘନିଷ୍ଠ ସହଯୋଗୀ କୁହାଯାଉଥିବା, ଚକ୍ରଧରପୁର ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ରବି ସିକେପି ସହ ସାକୀରକୁ ପରିଚୟ କରାଇଦେଇଥିଲା। ରବି ସିକେପି ଏହି ହତ୍ୟାକାଣ୍ଡ ପାଇଁ ୫ ଲକ୍ଷ ଟଙ୍କା ଦାବିକରିଥିଲା ଓ ସାଢ଼େ ୪ ଲକ୍ଷ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା।

ଗତ ୬ ମାସ ପୂର୍ବରୁ ଏହି ଯୋଜନା କରାଯାଇଥିଲା ଓ ଗତ ୨ ତାରିଖ ପୂର୍ବାହ୍ନ ୯.୩୦ ମିନିଟ ସମୟରେ ରବି ସିକେପି ସୁନୀଲଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଘଟଣା ପରେ ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଖବିନ୍ଦର କୌର ଓରଫ ରୋଜି ସହ ସାକୀରକୁ ଗିରଫ କରିଥିବାବେଳେ ହତ୍ୟାକାରୀ ରବି ସିକେପି ଓ ସହଯୋଗୀ ରିଆସତ ହୁସେନ ଏବେବି ଫେରାର ଥିବା ଜଣାଯାଇଛି। ଖୁବ ଶୀଘ୍ର ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *