ଅପରାଧ

ବିଲ୍ କରିବାକୁ ଯନ୍ତ୍ରୀ ନେଲେ ଲାଞ୍ଚ, ଭିଡ଼ିଓ ଭାଇରାଲା

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ପ୍ରମୋଦ ସାହୁ ନାମକ ଜଣେ କନିଷ୍ଠ ଯନ୍ତ୍ରୀ ଠିକା କାମର ବିଲ୍ କରିବା ପାଇଁ  ଜଣେ ଠିକାଦାରଙ୍କ ଠାରୁ ପିସି ଆକାରରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଜରିଆରେ ଭାଇରାଲ୍ ହେବାରେ ଲାଗିଛି। କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବୈପାରିଗୁଡାର ୪ଟି ପଞ୍ଚାୟତର ଜେ.ଇ. ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ପ୍ରତ୍ୟେକ ଠିକା କାମରେ ପିସି ଆକାରରେ ଟଙ୍କା ମାଗୁଥିବା ଠିକାଦାରମାନେ ପ୍ରକାଶ କରିଛନ୍ତି। ଯଦି ପିସି ଟଙ୍କା ନଦେଲେ ଠିକା କାମର ବିଲ୍ କରିବେ ନାହିଁ ବୋଲି ଭୟ ଦେଖାଉଥିବା ଶୁଣିବାକୁ ମିଳୁଛି।

ଏବେ ଏହି ଭାଇରାଲ ଭିଡ଼ିଓରେ କୌଣସି କାମର ବିଲ୍ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ସାହୁ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଜନୈକ ଠିକାଦାର ଜଣକ ୫ ହଜାର ଟଙ୍କା ଅଗ୍ରୀମ ଲାଞ୍ଚ ଦେଇ ବାକି ତକ ଟଙ୍କା ଅଫିସ ଆସିଲେ ଦେବି ବୋଲି କହିଥିଲେ। ଅନ୍ୟ ଏକ ୯୬ ହଜାର ଟଙ୍କା କାମର ଡିମାଣ୍ଡ ପ୍ରସ୍ତୁତ କର ମୁଁ ବିଲ୍ କରେଇ ଦେବି ବୋଲି ମଧ୍ୟ କହିଥିବା ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳିଛି। ବାରମ୍ବାର ଠିକାଦାରଙ୍କ ଠାରୁ ଜବରଦସ୍ତ ପିସି ଆକାରରେ ଟଙ୍କା ମାଗୁଥିବାରୁ ଠିକାଦାରମାନେ ଉତ୍ୟକ୍ତ ହୋଇ ଏହି ଭିଡିଓ ଭାଇରାଲ କରିଥିଲେ।

ମିଳିଥିବା ନିର୍ଭରଯୋଗ୍ୟ ସୂଚନା ଅନୁଯାୟୀ, ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ବୈପାରିଗୁଡା ବ୍ଲକର ମାଠପଡା ପଞ୍ଚାୟତ ଅନ୍ତର୍ଗତ ମୁଷାପଦର ଠାରେ ନିର୍ମାଣାଧୀନ ଖେଳପଡିଆ ବାବଦକୁ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ଏସଂପର୍କରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କୁ ପଚରାଯିବାରୁ ଏହାର ସତ୍ୟାସତ୍ୟ ସଂପର୍କରେ ତଦନ୍ତ କରିବା ପାଇଁ ଏବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କହିଥିଲେ। ତଦନ୍ତ ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *