ମୁଖ୍ୟ ଖବର

ମଲ୍‌ରେ ଗୁଳିକାଣ୍ଡରେ ୯ ମୃତ

ଡାଲସ୍‌: ଶନିବାର ଅପରାହ୍ଣରେ ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ଡାଲସ୍‌ ବାହାରେ ଗୋଟାଏ ଜନଗହଳି ଭରା ମୁକ୍ତାକାଶ ମଲ୍‌ରେ ଜଣେ ବନ୍ଧୁକଧାରୀ ନିର୍ବିଚାର ଭାବରେ ଗୁଳି ଚଳାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଆଉ ୭ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଶନିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହରର ପୁଲିସ ମୁଖ୍ୟ ବ୍ରିଏନ୍‌ ହାର୍ଭେ କହିଛନ୍ତି,ଟେକ୍ସାସ୍‌ର, ଏଲେନ୍‌ସ୍ଥିତ ‘ଏଲେନ୍‌ ପ୍ରିମିୟମ୍‌ ଆଉଟ୍‌ଲେସଟସ୍‌’ ମଲ୍‌ରେ ଏକାକୀ ଗୁଳି ଚଳାଇଥିବା ଉକ୍ତ ବନ୍ଧୁକଧାରୀଙ୍କୁ ଜଣେ ପୁଲିସ ଅଧିକାରୀ ଗୁଳିମାରି ହତ୍ୟା କରିଛନ୍ତି।

ଏଲେନ୍‌ ଅଗ୍ନିଶମ ବିଭାଗର ମୁଖ୍ୟ ଜନ୍‌ ବୟଡ୍‌ ମଧ୍ୟ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଳି ଚୋଟରେ ଆହତ ହୋଇଥିବା ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କୁ ତାଙ୍କ ବିଭାଗ ସେ ଅଞ୍ଚଳର ଡାକ୍ତରଖାନାମାନଙ୍କୁ ନେଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ଜାରି କରିଥିବା ବିବୃତିରେ ‘ମେଡିକାଲ୍‌ ସିଟି ହେଲ୍‌ଥ୍‌କେୟାର୍‌’ କହିଛି ଯେ, ଟ୍ରମା ସେଣ୍ଟର୍‌ ୮ଜଣ ଆହତଙ୍କୁ ଚିକିତ୍ସା କରୁଛି। ସେମାନଙ୍କର ବୟସ ୫ରୁ ୬୧ ମଧ୍ୟରେ ହେବ। କିନ୍ତୁ, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ହସ୍ପିଟାଲ୍‌ କିଛି ଉଲ୍ଲେଖ କରିନାହିଁ।

ଏହି ଗୁଳିକାଣ୍ଡକୁ ଟେକ୍ସାସ୍‌ର ଗଭର୍ଣ୍ଣର୍‌ ଗ୍ରେଗ୍‌ ଏବୋଟ୍‌ ‘ଅକଥନୀୟ ଦୁଃଖଦ ଘଟଣା’ ବୋଲି କହିବା ସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *