ମୁଖ୍ୟ ଖବର

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ।

ସେ କହିଛନ୍ତି, ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି, ସେଦୃଷ୍ଟିରୁ ସେ ପୁରୀରେ ବି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିପାରନ୍ତି। ଏହା  ବିଜେପି ଦଳୀୟ କର୍ମକର୍ତ୍ତାଙ୍କର ବି ଇଚ୍ଛା। ତାଛଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଓଡ଼ିଶାର ବିକାଶ ଦିଗରେ ଏକ ମାଇଲଖୁଣ୍ଟ। ଏନେଇ କୌଣସି ତାରିଖ ସ୍ଥିରୀକୃତ ହୋଇନାହିଁ। ତେବେ ରଥଯାତ୍ରା ପୂର୍ବରୁ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ହେବ।

ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ପ୍ରଥମ ଥର ଲାଗି ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଥିଲା। ହାୱଡ଼ା- ପୁରୀ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଥିଲା। ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଥିଲା। ଏହା ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବା ପୁରୀରେ ପହଞ୍ଚିଥିଲା ଏହି ଅତ୍ୟାଧୁନିକ ଟ୍ରେନ୍। ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ମଧ୍ୟାହ୍ଣ ୧.୫୦ ମିନିଟରେ ପୁରୀ ଛାଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା ରାତି ୮ଟା ୩୦ରେ  ହାୱଡ଼ା ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *