ରାଜନୀତି

କର୍ଣ୍ଣାଟକ ନିର୍ବାଚନ : କିଙ୍ଗମେକର୍ ହେବ କି ଜେଡିଏସ୍

ବେଙ୍ଗାଲୁରୁ :  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୧୩ ତାରିଖରେ ଭୋଟ ଗଣତି ହେବ । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ୍ ବାହୁଡ଼ା ମତାମତ ବା ଏକଜିଟ୍ ପୋଲ ପ୍ରକାଶ ପାଇଛି । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡ଼ୁଛି ଯେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି । ଏଣୁ ସରକାର ଗଢିବା ପାଇଁ ଜନତାଦଳ (ଧର୍ମନିରପେକ୍ଷ)ର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।

କର୍ଣ୍ଣାଟକ ବିଧାନସଭାରେ ମୋଟ ୨୨୪ଟି ଆସନ ଥିବାବେଳେ ସରକାର ଗଢିବାକୁ ୧୧୩ଟି ଆସନ ଆବଶ୍ୟକ । କିନ୍ତୁ ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟକୁ ଦେଖିଲେ ଜଣାପଡ଼ୁଛି ଯେ କୌଣସି ଦଳ ମ୍ୟାଜିକ ନମ୍ବର ପାଉନାହାନ୍ତି । ଏଣୁ ସରକାର ଗଢିବାକୁ ଜେଡିଏସର ସମର୍ଥନ ନିହାତି ଆବଶ୍ୟକ ପଡ଼ିବ ।

ଏବିପି ନ୍ୟୁଜ-ସିଭୋଟରର ରିପୋର୍ଟ ଅନୁସାରେ ବିଜେପିକୁ ୮୩ରୁ ୯୫ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧୧୦ରୁ ୧୧୨ଟି ଆସନ ଓ ଜେଡିଏସକୁ ୨୧ରୁ ୨୯ଟି ଆସନ ମିଳିବ । ସେହିପରି ଟାଇମ୍ସ ନାଓ-ଇଡିଜିର ସର୍ଭେ ଅନୁସାରେ ବିଜେପିକୁ ୮୫ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧୧୩ଟି ଆସନ ଓ ଜେଡିଏସକୁ ୨୩ଟି ଆସନ ମିଳିବ । ଇଣ୍ଡିଆ ଟିଭି-ସିଏନଏକ୍ସର ରିପୋର୍ଟ ଅନୁସାରେ ବିଜେପିକୁ ୮୦ରୁ ୯୦ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧୧୦ରୁ ୧୨୦ଟି ଆସନ ଓ ଜେଡିଏସକୁ ୨୦ରୁ ୨୪ଟି ଆସନ ମିଳିବ ।

ଅନ୍ୟପକ୍ଷରେ ସୁବର୍ଣ୍ଣ ନ୍ୟୁଜ-ଜନ କି ବାତର ରିପୋର୍ଟ ଅନୁସାରେ ବିଜେପିକୁ ୯୪ରୁ ୧୧୭ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୯୧ରୁ ୧୦୬ଟି ଆସନ ଓ ଜେଡିଏସକୁ ୧୪ରୁ ୨୪ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଏଣୁ ଫଳାଫଳ ପ୍ରକାଶ ପାଇବା ପରେ ଜେଡିଏସ ମୁଖ୍ୟ ଏଚଡି କୁମାରସ୍ବାମୀଙ୍କ ଗୁରୁତ୍ବ ବଢିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *