ଦେଶ- ବିଦେଶ

ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଉଛି ପାକିସ୍ତାନ

ମୋହାଲି : ଭାରତରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ନିୟମିତଭାବେ ଡ୍ରୋନ ମାଧ୍ୟମ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତକୁ ତ ଯାଉଛି, ତାଛଡ଼ା ଦେଶର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ମଧ୍ୟ ପହଞ୍ଚୁଛି । ଏପରି ଏକ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ପଂଜାବ ପୁଲିସ ।

ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣିବାରେ ସାହାଯ୍ୟ କରିଥିବା ଅଭିଯୋଗରେ ପଞ୍ଜାବ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ମୋହାଲି ରାଜ୍ୟ ସ୍ପେଶାଲ ଅପରେସନ୍ ସେଲ୍ (ଏସଏସଓସି) ପକ୍ଷରୁ ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁଦାସପୁରର ଡେରା ବାବା ନାନକର ବାସିନ୍ଦା ମଲକିତ ସିଂହ ଓରଫ ପିସ୍ତଲ ଏବଂ ଗୁରୁଦାସପୁରନିବାସୀ ମୋହିତ ଓରଫ ରିକି। ଉଭୟ ଅଭିଯୁକ୍ତ ପାକିସ୍ତାନରୁ ଡ୍ରୋନ ଯୋଗେ ପଞ୍ଜାବକୁ ଆସୁଥିବା ବିସ୍ଫୋରକ, ହ୍ୟାଣ୍ଡ ଗ୍ରେନେଡ୍, ଆସଲ୍ଟ ରାଇଫଲ, ଜିଗାନା ପିସ୍ତଲ, ଗୋଳାବାରୁଦ ସଂଗ୍ରହ କରି ଜଣେ ଗ୍ୟାଙ୍ଗଷ୍ଟର ନିକଟକୁ ପଠାଉଥିଲେ ।

ଉଭୟଙ୍କ ମୋବାଇଲରୁ ୪ ଜଣ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ନମ୍ବର ମଧ୍ୟ ମିଳିଥିବା ପୁଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ଗତ ଦୁଇ ବର୍ଷ ହେବ ପାକିସ୍ତାନ ପାଇଁ କାମ କରୁଥିଲେ । ଗିରଫ ଦୁଇ ଅଭିଯୁକ୍ତ ସିଧାସଳଖ ପାକିସ୍ତାନ ସହ ଯୋଗାଯୋଗ କରି ପଞ୍ଜାବର ଅପରାଧୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ। ଏଥିପାଇଁ ସେମାନେ ବିପୁଳ ପରିମାଣର ଟଙ୍କା ମଧ୍ୟ ଆଦାୟ କରିଥିଲେ। ପଞ୍ଜାବ ସୀମାରେ ଅସ୍ତ୍ରଶସ୍ତ୍ର ପହଞ୍ଚିବା ମାତ୍ରେ ଉଭୟ ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଡେଲିଭରି କରୁଥିଲେ। ପ୍ରତି ଡେଲିଭରି ପାଇଁ ସେମାନେ ୧ ଲକ୍ଷ ଟଙ୍କା ପାଉଥିଲେ। ଏହି ଗ୍ୟାଙ୍ଗରେ ଆହୁରି ଅନେକ ଲୋକ ସମ୍ପୃକ୍ତ ଥିବା ସଂଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *