ରାଜ୍ୟ

ନାଳ ସଫା କରୁନି ପୌର ପରିଷଦ

ନବରଙ୍ଗପୁର, : କିଛିଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ନବରଙ୍ଗପୁର ସହରର ବିଭିନ୍ନ ଓ୍ବାର୍ଡରେ ନାଳ ସଫା କରାଯାଇନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରାସ୍ତାରେ ଭାସିବା ଆଶଙ୍କା ରହିଛି। ସଫେଇ ଦାୟିତ୍ୱ ପୌର ପ୍ରଶାସନ ଏକ ଘରୋଇ ସଂସ୍ଥାକୁ ଦେଇଥିବାବେଳେ କାମ ଠିକ୍‌ଭାବେ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। କାମ ଠିକ୍‌ଭାବେ ହେଉ ନ ଥିବାବେଳେ ପ୍ରାୟ ୧୫ ବର୍ଷ ହେବ ପୌର ସଂସ୍ଥା ଗୋଟିଏ ହିଁ ଠିକାସଂସ୍ଥାକୁ ସଫେଇ ଦାୟିତ୍ୱ ଦେଇ ହାତ ଟେକିବା ପଛରେ କାରଣ କ’ଣ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ନାଳ ସଫା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ନବରଙ୍ଗପୁର ସହର ୧୭ ୱାର୍ଡକୁ ନେଇ ଗଠିତ। ଓ୍ବାର୍ଡର ସଫେଇ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ପୌର ପରିଷଦ ଠିକା ଭିତ୍ତିରେ ପ୍ରଦାନ କରିଛି। କିନ୍ତୁ କାମ ଠିକ୍‌ଭାବେ ହେଉନାହିଁ। ତେଣୁ ସହରର ସାହି ଗଳି ଆବର୍ଜନାପୂର୍ଣ୍ଣ ରହିଛି। ସହର ମଧ୍ୟ ଭାଗ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି। କେବଳ ଏହି ରାସ୍ତା ଓ ଏହା ପାଖ ଦେଇ ଯାଇଥିବା ଡ୍ରେନ୍‌ ସଫା କରାଯାଉଛି। ଅନ୍ୟ ୱାର୍ଡଗୁଡିକରେ କୁଢ଼କୁଢ଼ ଆବର୍ଜନା ପଡ଼ିରହୁଛି। ଆଗକୁ ଆସୁଛି ବର୍ଷାଦିନ। କିନ୍ତୁ ଏବେସୁଦ୍ଧା ପୋତି ହୋଇଥିବା ଡ୍ରେନ୍‌ଗୁଡିକରୁ ମାଟି ଓ ପଙ୍କ ଉଠୁନାହିଁ। ଏହାବ୍ୟତୀତ ଷ୍ଟ୍ରିଟ୍‌ ଲାଇଟଗୁଡିକ ଅଧିକାଂଶ ସାହି ଗଳିରେ କାମ କରୁନାହିଁ। କେତେକ ସ୍ଥାନରେ ଲାଗିଥିବା ଲାଇଟ୍‌ଗୁଡିକ କାଢ଼ି ନିଆଯାଇଛି। ତେବେ ଖୁଣ୍ଟଗୁଡିକରୁ ଲାଇଟଗୁଡିକ ଚୋରି ଯୋଗୁ ଅଧା ସହର ଏବେ ଅନ୍ଧାରରେ ରହୁଛି। ସେହିଭଳି ଅବ୍ୟବହୃତ ମାଟି ଓ ଇଟା ଆଦି ବିଭିନ୍ନ ରାସ୍ତାରେ କଡ଼ିଥିବରୁ ରାସ୍ତା ସଂକୀର୍ଣ୍ଣ ହେଉଛି। ମଶାମାଛି ଦାଉରୁ ରକ୍ଷାପାଇବା ପାଇଁ ଧୂଆଁ ଛଡ଼ାଯାଉନାହିଁ। ହୋଲ୍‌ଡିଂ ଟ୍ୟାକ୍ସ ନାମରେ ଜନସାଧାରଣଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହେଉଛି। କିନ୍ତୁ ଲୋକଙ୍କୁ ସେବା ଠିକ୍‌ଭାବେ ମିଳୁନାହିଁ। କହିବାକୁଗଲେ ପୌରସଂସ୍ଥା ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ସଫେଇ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆଯାଉଛି। ଏବେ ସମସ୍ତ ଡ୍ରେନ୍‌ରୁ ମାଟି ଉଠାଯିବ ବୋଲି କହିଛନ୍ତି। ଜିଲାପାଳଙ୍କ ଅନୁମୋଦନ ପରେ ୧୬ ଶହ ଷ୍ଟ୍ରିଟ୍‌ ଲାଇଟ କିଣାଯିବ। ସମସ୍ତ ଖୁଣ୍ଟରେ ଲାଇଟ ଲାଗିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *