ରାଜ୍ୟ

ଅସ୍ତରଙ୍ଗ ବନ୍ଦର ପାଇଁ ନବଯୁଗ କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ


ନିମାପଡା : ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଠାରେ ଏକ ବନ୍ଦର ନିର୍ମାଣ ପାଇଁ ହାଇଦ୍ରାବାଦ ର ନବଯୁଗ କମ୍ପାନୀ ସହିତ ରାଜ୍ୟ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି । ଦୀର୍ଘ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହି ବନ୍ଦର ଏବେ ଅନିଶ୍ଚିତତା ଭିତରେ ରହିଛି। ପ୍ରସ୍ତାବିତ ବନ୍ଦର ପାଇଁ ବିନା ବିଜ୍ଞପ୍ତିରେ ସବୁଜ ବଳୟ ସୃଷ୍ଟି ପାଇଁ ଗ୍ରାମବାସୀଙ୍କ ମାଲିକାନାରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମି କୁ କମ୍ପାନୀ ପକ୍ଷରୁ ଗୁରୁବାର ଦଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିବାରୁ ଜମି ଦଖଲ କାର୍ଯ୍ୟ ଫସର ଫାଟିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ଓସିଆଁ ମୌଜାର ନଦୀଗର୍ଭରେ ହଜିଯାଇଥିବା ଜମିକୁ ନବଯୁଗ କମ୍ପାନୀ କବ୍ଜା କରିବାକୁ ପ୍ରୟାସ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବାରୁ କମ୍ପାନୀ କର୍ମଚାରୀ ଫେରିଯାଇଛନ୍ତି।ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଅସ୍ତରଙ୍ଗ ତହସିଲଦାର,ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ,ଅସ୍ତରଙ୍ଗ ଥାନା ଅଧିକାରୀ,ପୁରୀ ଜିଲ୍ଲାପାଳ,ପୁରୀ ଏସ୍ ପି ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ନିଜ ଭିଟାମାଟିରେ ଜଙ୍ଗଲ ସୃଷ୍ଟି କରିଥିବା ଜମିକୁ ଅନ୍ୟ କାହାକୁ ଦଖଲ ନ ଦେବାକୁ ସେମାନେ ଶପଥ ନେଇଛନ୍ତି। ଓସିଆଁ ମୌଜାର ହାଲ ଖାତା ନଂ ୩୬ର ଥିବା ମୋଟ ୪୦ଟି ପ୍ଲଟରେ ୬୯୦ ଏକର ୯୮ ଡିସିମିଲି ଜମି ଥିଲାବେଳେ ଯେଉଁଥିରେ ନଦୀ ଓ ନଦୀପଠା ମିଶାମିଶି ହୋଇ ରହିଥିବା ବେଳେ ଶାବକ ରେକର୍ଡ ମୁତାବକ ଏହି ପରିସୀମା ମଧ୍ୟରେ ସ୍ଥାନୀୟ ଲୋକଙ୍କର ଜମି ଓ ଘରଦ୍ୱାରା ଥିଲା। କିନ୍ତୁ କାଳକ୍ରମେ ଦେବୀନଦୀର ଗତି ପରିବର୍ତ୍ତନ ଯୋଗୁ ସେଗୁଡିକ ନଦୀ ଗର୍ଭରେ ଲୀନ ହୋଇଯାଇ ସ୍ଥାନୀୟ ଲୋକେ ନଦୀର ଅପରପାର୍ଶ୍ଵ ସମେତ ଅନ୍ୟଠାରେ ବିସ୍ଥାପିତ ହୋଇଥିଲେ।ନଦୀପଠାରେ ଥିବା ଚାଷ ଅନୁପଯୋଗୀ ଜମିରେ ଜଙ୍ଗଲ ସୃଷ୍ଟିକରି ଗ୍ରାମବାସୀ ଚଳୁଛନ୍ତି।ପ୍ରତିବର୍ଷ ନୂଆଗଛ ଲଗାଇ ଗ୍ରାମବାସୀଙ୍କ ମଧ୍ୟରୁ ପାଳିକରି ତାର ରକ୍ଷଣାବେକ୍ଷଣା କରିଆସୁଛନ୍ତି । ତେବେ ସେମାନଙ୍କ ଅଗୋଚରରେ କମ୍ପାନୀ ପକ୍ଷରୁ ସଂପୃକ୍ତ ଜମିରେ ସିମେଣ୍ଟ ଖୁଣ୍ଟ ପକାଇ କବ୍ଜା କରିବାକୁ ଉଦ୍ୟମ ବେଳେ ଗ୍ରାମବାସୀମାନେ କଡ଼ା ବିରୋଧ କରିଥିଲେ। ୨୦୧୭ ମସିହାରେ ଅସ୍ତରଙ୍ଗ ତହସିଲ ତରଫରୁ ସମ୍ପୃକ୍ତ ସ୍ଥାନରୁ ବାଲି ନିଲାମ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଗ୍ରାମବାସୀ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ନିଲାମ ପ୍ରକ୍ରିୟା ବନ୍ଦ ରହିଥିଲା।ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାର ରାଜଲକ୍ଷ୍ମୀ ନାୟକ କୁହନ୍ତି ଅସ୍ତରଙ୍ଗରେ ହେବାକୁ ଥିବା ବନ୍ଦର ପାଇଁ ଜମି ଅଧିଗ୍ରହଣ ବେଳେ କେତେକ ଜଙ୍ଗଲ ଜମି ଯାଉଛି।ଅନ୍ୟ ଠାରେ ସବୁଜ ବଳୟ ବା ଜଙ୍ଗଲ ସୃଷ୍ଟିକରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ସଂସ୍ଥା କିଛି ଜାଗା ଚିହ୍ନଟ କରିବାକୁ ରହିଛି।ତହସିଲ୍ କର୍ମଚାରୀଙ୍କୁ ନନେଇ ହଠାତ୍ ସେଠି ସମ୍ପୃକ୍ତ କର୍ମଚାରୀମାନେ ପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିଥିଲା।ଗ୍ରାମବାସୀଙ୍କ ତରଫରୁ ଏନେଇ ଏକ ଅଭିଯୋଗ ହୋଇଛି, ସରକାରୀ ବିଧିବ୍ୟବସ୍ଥା ଓ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିକୋଣରୁ ଅଭିଯୋଗକୁ ଭିତିକରି ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବନ୍ଦର ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ଆଇନଗତ ପ୍ରତିବନ୍ଧକ ଯୋଗୁଁ ଏହି ବହୁ କୋଟି ଟଙ୍କାର ପ୍ରକଳ୍ପ ଆଗେଇ ପାରୁନାହିଁ। ୨୦୧୪ ଜାନୁୟାରୀ ମାସରେ କାର୍ଯ୍ୟକାରୀ ହୋଇଥିବା ନୂତନ ଅଧିଗ୍ରହଣ ଆଇନ ଅନୁସାରେ ଯେଉଁ ଅଞ୍ଚଳରେ ସରକାର କୌଣସି ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେବେ, ସେ ଅଞ୍ଚଳରେ ବିସ୍ଥାପିତ ହେବାକୁ ଥିବା ଜନସାଧାରଣଙ୍କ ମଧ୍ୟରୁ ୮୦ପ୍ରତିଶତ ଲୋକଙ୍କ ସହମତ ଜରୁରୀ। ଯଦି ସହମତିର ଅଭାବ ପରିଲକ୍ଷିତ ହୁଏ ତେବେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇ ପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ବିନା ପଲ୍ଲୀସଭା ଓ ଗ୍ରାମସଭାରେ ଗତ ଅଗଷ୍ଟ ୨୦୧୪ମସିହାରେ ପ୍ରସ୍ତାବିତ ବନ୍ଦରାଞ୍ଚଳରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ – ଅର୍ଥନୈତିକ ସର୍ଭେ ସହିତ ଜମି ଅଧିଗ୍ରହଣ କାର୍ଯ୍ୟକ୍ରମକୁ ଗ୍ରାମବାସୀ ବିରୋଧ କରିବାରୁ ଓ ନ୍ୟାୟାଳୟର ଆଶ୍ରୟ ନେବାରୁ ବନ୍ଦର ପ୍ରତିଷ୍ଠା ସାକାର ହୋଇପାରୁନାହିଁ। ଏହି ବନ୍ଦର ପ୍ରତିଷ୍ଠା ନିମନ୍ତେ ୨୦୦୮ମସିହା ଡିସେମ୍ବର ୨୨ତାରିଖରେ ହାଇଦ୍ରାବାଦର ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।
ଦୀର୍ଘ ୧୫ବର୍ଷ ବିତିଥିଲେ ମଧ୍ୟ ସରକାର ଙ୍କ ଉଦାସୀନତା କାରଣରୁ ଏହି ବନ୍ଦର ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଯାଇଛି।

Leave a Reply

Your email address will not be published. Required fields are marked *