ମୁଖ୍ୟ ଖବର

ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ

କଣ୍ଟାମାଳ : ବୌଦ୍ଧ ଜିଲା ବାଉଁଶୁଣୀ ମଣ୍ଡି ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଥିବା ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଧରଣୀ ମେହେର(୫୦)। ଧାନ ବିକି ନ ପାରି ସେ ଦୀର୍ଘଦିନ ହେଲା ମାନସିକ ଚାପରେ ଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବାକ, ବୌଦ୍ଧ ବ୍ଲକ୍‌ ଜମାଘାଟି ଗ୍ରାମର ଧରଣୀ ଗତ ଜାନୁୟାରୀ ୨୫ରେ ୫୬ କୁଇଣ୍ଟାଲ ୬୨ କେଜି ଧାନ ବିକିବାକୁ ଟୋକନ ପାଇଥିଲେ। କିନ୍ତୁ ମାସେ ପୂରିବାକୁ ବସିଥିବା ବେଳେ ମଣ୍ଡିରେ ଧାନ ବିକ୍ରୟ କରିପାରି ନ ଥିଲେ। ସେ ଧାର କରଜ କରି ଚାଷ କରିଥିଲେ। ବିକ୍ରି ପାଇଁ ଦିନ ଗଡୁଥିବା ବେଳେ ଟୋକନ ଲାପ୍ସ ହୋଇଯିବା ଆଶଙ୍କା ଥିବାରୁ ଚିନ୍ତାରେ ଥିଲେ। ଗୁରୁବାର ସକାଳେ ସେ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଆସିଥିଲେ। ଧାନ ବିକ୍ରିରେ ବିଳମ୍ବ ହେବାରୁ କାଳେ ନିରାଶ ହୋଇ ଘରକୁ ଫେରିବାକୁ ପଡିବ ଭାବି ମଣ୍ଡି ପରିସରରେ ଥିବା ଏକ ଗଛମୂଳକୁ ଯାଇ ବସିଥିଲେ। ସେତିକିବେଳେ ସେ ଟଳି ପଡିଥିଲେ। ପାଖରେ ଥିବା ଲୋକେ ତାଙ୍କୁ ତୁରନ୍ତ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଧରଣୀଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଚାଷୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ା

ସୂଚନାଯୋଗ୍ୟ, ବୌଦ୍ଧ ଜିଲାର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି। କେତେବେଳେ ଟୋକନ ସମସ୍ୟା ତ ଆଉ କେତେବେଳେ ଟୋକନ ଲାପ୍ସ ହେବା ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି।

Leave a Reply

Your email address will not be published. Required fields are marked *