ମୁଖ୍ୟ ଖବର

ବିକାଶଧାରାକୁ ବିଜେଡି ଆଗେଇ ନେବ: ନବୀନ

ଭୁବନେଶ୍ବର: ଝାରସୁଗୁଡ଼ାରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଜିତିଲା ପରେ ଶନିବାର ସନ୍ଧ୍ୟାରେ ବି‌ଜୁ ଜନତା ଦଳ ବିଜୟ ଦିବସ ପାଳନ କରିଛି। ସ୍ଥାନୀୟ ଶଙ୍ଖ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପାଇଁ ଶ୍ରୀ ପଟ୍ଟନାୟକ ସର୍ବପ୍ରଥମେ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହି ବିଜୟ ଝାରସୁଗୁଡ଼ାବାସୀଙ୍କର ବିଜୟ। ଏହି ବିଜୟ ପାଇଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ମୁଁ ଋଣୀ। ବିଜେଡି ଋଣୀ। କର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଖରା ଓ ଗରମକୁ ଖାତିର ନକରି ପରିଶ୍ରମ ଓ ତ୍ୟାଗ କରିଥି‌ଲେ। ଝାରସୁଗୁଡ଼ା ପାଇଁ ନବ ଦାସ ଆରମ୍ଭ କରିଥିବା ବିକାଶଧାରାକୁ ବିଜେଡି ଆଗେଇ ନେବ।

ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପଦ୍ମପୁର ଉପନିର୍ବାଚନ‌େ ବେଳେ ବିରୋଧୀ ଦଳ ଆମର ମା’ମାନଙ୍କୁ ଅପମାନ କରିଥିଲେ। ଖରାପ ଭାଷାରେ ଗାଳି ଦେଇଥିଲେ। ପଦ୍ମପୁର ହେଉ ଅଥବା ଝାରସୁଗୁଡ଼ାରେ ହେଉ, ଯେଉଁମାନେ ଏଭଳି ଗାଳି କରିଛନ୍ତି, ସେମାନଙ୍କୁ ଉପନିର୍ବାଚନରେ ସଠିକ୍‌ ଜବାବ ମିଳିଛି। ଝିଅମାନେ ଆମର ଗର୍ବ। ବିଜେଡି ସବୁବେଳେ ମା’ମାନଙ୍କୁ ସମ୍ମାନ ଦେଇ ଆସିଛି। ସେମାନଙ୍କର ଅଧିକାର ପାଇଁ ମିଶନ ଶକ୍ତି ଗଢ଼ିଛି। ହାଣ୍ଡିଶାଳର ୪ କାନ୍ଥ ଭିତରୁ ମା’ମାନେ ବାହାରି ଆସି ଆତ୍ମନିର୍ଭରଶୀଳ ହୋଇଛନ୍ତି। ମିଶନଶକ୍ତି ମାଧ୍ୟମରେ ମା’ମାନଙ୍କୁ ସଶକ୍ତ କରାଯାଇପାରିଛି। ମହିଳାଙ୍କ ଅଧିକାର ପାଇଁ ବିଜେଡି କାମ କରୁଛି।

ଭର୍ଚୁଆଲ ମୋଡରେ ଦୀପାଳି ଦାସ ଯୋଡ଼ିହୋଇ କହିଥିଲେ, ଝାରସୁଗୁଡ଼ାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୋ ଉପରେ ଏତେ ବିଶ୍ବାସ ରଖିଥିବାରୁ ଧନ୍ୟବାଦ ଜଣାଉଛି। ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛନ୍ତି। ତାଙ୍କର ସମର୍ଥନ ଓ ଆଶୀର୍ବାଦ ପାଇଁ ମ‌ୋତ‌େ ଝାରସୁଗୁଡ଼ାବାସୀ ବିଜୟୀ କରାଇଛନ୍ତି। ଏହି ବିଜୟ ଶଙ୍ଖର ବିଜୟ। ଏହି ବିଜୟ ନବୀନ ପଟ୍ଟନାୟକଙ୍କ ବିଜୟ। ଏହି ବିଜୟ ଝାରସୁଗୁଡ଼ାବାସୀଙ୍କର। ଏହି ବିଜୟ ନବ ଦାସଙ୍କର ବିଜୟ ବୋଲି ଦୀପାଳି କହିଛନ୍ତି।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ନିଜର ବକ୍ତବ୍ୟରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ଝାରସୁଗୁଡ଼ା ଉପନିର୍ବାଚନ ସେମିଫାଇନାଲ ବୋଲି ବିରୋଧୀମାନେ କହିଥିଲେ। ୨୦୨୪ ନିର୍ବାଚନ କ’ଣ ହେବ, ସେମାନେ ଏବେ ଜାଣିପାରୁଥିବେ। ଏହି ସେମିଫାଇନାଲରେ ଦୀପାଳି ଦାସଙ୍କର ବିଜୟ ହୋଇଛି। ବିକାଶର ଆଭିମୁଖ୍ୟ ପାଥେୟ କରି ଝାରସୁଗୁଡ଼ା ଆଗେଇ ଚାଲିଛି। ବିରୋଧୀମାନେ ଆକ୍ଷେପ କରୁଥିଲେ। ଦୀପାଳି ଦାସଙ୍କ ବିରୋଧରେ ଅପପ୍ରଚାର କରୁଥିଲେ। ନବୀନଙ୍କ ନେତୃତ୍ବରେ ଝାରସୁଗୁଡ଼ାବାସୀ ଆଗେଇ ଚାଲିଛି। ଝରସୁଗୁଡ଼ାବାସୀ ନକରାତ୍ମକ ରାଜନୀତି ନାପସନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ଆସ୍ଥା ରହିଛି।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଝାରସୁଗୁଡ଼ାବାସୀ ଇତିହାସ ସୃଷ୍ଟି କରିଛନ୍ତି। ୨୦୧୯ରେ ସ୍ବର୍ଗତ ନବ କିଶୋର ଦାସ ଯେତିକି ଭୋଟ୍‌ରେ ନିର୍ବାଚନ ଜିତିଥିଲେ, ଏହି ଉପନିର୍ବାଚନରେ ତାଙ୍କର ଝିଅ ଦୀପାଳି ଅଧିକ ଭୋଟ୍‌ରେ ଜିତିଛନ୍ତି। ନବୀନଙ୍କ ପରାମର୍ଶରେ ଦଳୀୟ କର୍ମୀଙ୍କ କାର୍ଯ୍ୟ ଯୋଗୁଁ ଆମେ ବିଜୟୀ ହୋଇପାରିଛେ। ଏହି ବିଜୟ ସମଗ୍ର ଓଡ଼ିଶାବାସୀଙ୍କର ବିଜୟ। ୨୦୨୪ରେ ଭାରତରେ ରେକର୍ଡ କରିବା ଆମର ସଂକଳ୍ପ। ଝାରସୁଗୁଡ଼ାରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଦିଲ୍ଲୀର କ୍ଷମତାକୁ ନେଇ ଯେଉଁମାନେ ଗର୍ବ କରୁଛନ୍ତି, ସେମାନଙ୍କୁ ଝାରସୁଗୁଡ଼ାରେ ଜବାବ ମିଳିଛି। ବିଜୁବାବୁଙ୍କ ସ୍ବପ୍ନକୁ ନବୀନ ପଟ୍ଟନାୟକ ସାକାର କରିଛନ୍ତି।

କାର୍ଯ୍ୟକ୍ରମକୁ ପରିଚାଳନ କରିଥିବା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଦାସ କହିଥିଲେ, ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ଦୀପାଳି ଦାସଙ୍କୁ ବହୁମତ ଦେଇଛନ୍ତି। ଦଳ ସଭାପତିଙ୍କ ନିକଟରେ ଆମେ କୃତଜ୍ଞ। ସମାରୋହରେ ମନ୍ତ୍ରୀ, ବିଧାୟକ, ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *