ଦେଶ- ବିଦେଶ

ଘରକୁ ଫେରିଲେ ଇମ୍ରାନ ଖାଁ

ଲାହୋର : ତିନି ଦିନ ଜେଲରେ ବିତାଇବା ପରେ ଅଧ୍ୟକ୍ଷ ଇମ୍ରାନ୍ ଖାଁ ଶନିବାର ସକାଳେ ଲାହୋରର ଜମାନ ପାର୍କସ୍ଥିତ ନିଜ ବାସଭବନକୁ ଫେରିଛନ୍ତି । ଇମ୍ରାନ ସଡ଼କ ପଥରେ ତାଙ୍କ ଲାହୋର ବାସଭବନରେ ପହଞ୍ଚିଥିଲେ । ଲାହୋର ଯିବା ବାଟରେ ପିଟିଆଇ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ତାଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ ।

ଲାହୋର ଫେରିବା ପରେ ଇମ୍ରାନ ପ୍ରକାଶ କରିଥିଲେ ଯେ ଇସ୍ଲାମାବାଦ ପୁଲିସ ଆଇଜି ତାଙ୍କୁ ଲାହୋର ଯିବାରୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ । ବାହାରକୁ ବାହାରିଲେ ବିପଦ ବୋଲି କହି ତାଙ୍କୁ ପ୍ରାୟ ୩ ଘଣ୍ଟା ଅଟକାଇ ରଖାଗଲା ।

ତେବେ ଏ ସଂପର୍କରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କୁ ହାଇକୋର୍ଟ ପରିସରରୁ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏହାର ଜବାବରେ ୧୫ ମିନିଟ୍ ମଧ୍ୟରେ ଇସଲାମାବାଦରେ ରାସ୍ତା ନ ଖୋଲିଲେ ପରବର୍ତ୍ତୀ ପଦକ୍ଷେପ ଘୋଷଣା କରାଯିବ ବୋଲି ଇମ୍ରାନ ଧମକ ଦେଇଥିଲେ । ତେବେ ବରିଷ୍ଠ ପୁଲିସ ଅଧିକାରୀମାନେ ହସ୍ତକ୍ଷେପ କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।

ଗତ ମଙ୍ଗଳବାରଦିନ ଏକ ଦୁର୍ନୀତି ମାମଲାର ଶୁଣାଣି ପାଇଁ ଇସ୍ଲାମାବାଦ ହାଇକୋର୍ଟରେ ଉପସ୍ଥିତ ଥିବା ବେଳେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନ୍ଏବି)ର ନିର୍ଦ୍ଦେଶକ୍ରମେ ଦେଶର ଅର୍ଦ୍ଧସାମରିକ ବାହିନୀ  ରେଞ୍ଜର୍ସ ଇମ୍ରାନଙ୍କୁ ଗିରଫ କରିଥିଲା । ଏହି ଘଟଣାପରେ ତାଙ୍କ ଦଳୀୟ ସମର୍ଥକମାନେ ଦେଶବ୍ୟାପୀ ତୀବ୍ର ଆନ୍ଦୋଳନ କରିଥିଲେ।

Leave a Reply

Your email address will not be published. Required fields are marked *