ବାଣିଜ୍ୟ

୨୧ ହଜାର କୋଟିର ସେୟାର ବିକି‌ବେ ଆଦାନି

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ ଏହାର ଦୁଇଟି କମ୍ପାନିର ସେୟାର ବିକ୍ରି କରି ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବ। ଗ୍ରୁପ ଏହାର ମୁଖ୍ୟ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡର ସେୟାର ବିକ୍ରି କରି ୧୨୫୦୦ କୋଟି ଏବଂ ଆଦାନି ଟ୍ରାନ୍ସମିସନର ସେୟାର ବିକ୍ରି କରି ୮୫୦୦ କୋଟି ଟଙ୍କା ଯୋଗାଡ଼ କରିବ। ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆଦାନି ଗ୍ରୁପ୍‌ର ବ୍ୟବସାୟକୁ ବଡ଼ ଧରଣର ପ୍ରଭାବିତ କରିବାର କିଛିମାସ ପରେ କମ୍ପାନି କର୍ତ୍ତୃପକ୍ଷ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଜି ଅନୁଷ୍ଠିତ ଉପରୋକ୍ତ ଦୁଇ କମ୍ପାନିର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପାଣ୍ଠି ସଂଗ୍ରହ ପାଇଁ ମଞ୍ଜୁରି ପ୍ରଦାନ କରିଛି। ସେୟାର ବିକ୍ରି ସଂପର୍କରେ ଆଦାନି ଗ୍ରୁପ୍ କମ୍ପାନି ଦ୍ବୟ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଆଦାନି ଗ୍ରୁପ୍‌ ଅଧୀନ ଗ୍ରିନ୍ ଏନର୍ଜି ଲିମିଟେଡର ବୋର୍ଡ ପାଣ୍ଠି ସଂଗ୍ରହ ସଂକ୍ରାନ୍ତରେ ଏକ ବୈଠକ ଆଜି କରିବାର ଥିଲେ ମଧ୍ୟ ତାହାକୁ ଆସନ୍ତା ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କିଛିଦିନ ପୂର୍ବରୁ ବ୍ଲୁମବର୍ଗ ପକ୍ଷରୁ କୁହାଯାଇଥିଲା ଯେ ଆଦାନି ଗ୍ରୁପ ଏହାର ୩ଟି କମ୍ପାନିର ସେୟାର ବିକ୍ରି କରି ୫ ବିଲିଅନ ଡଲାର ବା ପ୍ରାୟ ୪୧ ହଜାର କୋଟି ଟଙ୍କା ସଂଗ୍ରହ କରିବା ଯୋଜନା ରଖିଛି। ତେଣୁ ଆସନ୍ତା ୨୪ ତାରିଖରେ ଯଦି ସେୟାର ବିକ୍ରି ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଗଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ। କମ୍ପାନି ଏହି ପାଣ୍ଠି ସଂଗ୍ରହ କରିବା ପରେ ଆଦାନି ଗ୍ରୁପ ଋଣ ପରିଶୋଧ କରିବାର ସାମର୍ଥ୍ୟ ବୃଦ୍ଧି ପାଇବ। ଏଥିସହିତ ନିବେଶକଙ୍କ ମଧ୍ୟରେ ଆଦାନି ଗ୍ରୁପ ସଂପର୍କରେ ଆସ୍ଥା ବଢ଼ିବ।ଉଲ୍ଲେଖଯୋଗ୍ୟ, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ଆଦାନି ଗ୍ରୁପ ଉପରେ ଭରସା ଦୋହଲି ଯାଇଥିଲା। ଏପରିକି ଆଦାନି ଏଣ୍ଟରପ୍ରାଇଜେସ ଏହାର ଫଲୋ-ଅନ୍ ପବ୍ଲିକ୍ ଅଫରକୁ ବନ୍ଦ କରିଦେଇଥିଲା। ଫଲୋ-ଅନ ପବ୍ଲିକ ଅଫର ଜରିଆରେ କମ୍ପାନି ୨୦ ହଜାର କୋଟି ଟଙ୍କା ସଂଗ୍ରହ ଆଶା ରଖିଥିଲା। ପୂର୍ବରୁ ଗତ ମାର୍ଚ୍ଚରେ ଆଦାନି ଗ୍ରୁପ୍ ଏହାର ୪ଟି କମ୍ପାନିର କିଛି ଅଂଶଧନ ଆମେରିକାର ଜିକ୍ୟୁଜି ପାର୍ଟନର୍ସକୁ ବିକ୍ରି କରି ୧.୯ ବିଲିଅନ ଡଲାର ବା ୧୫.୬୨ କୋଟି ଟଙ୍କା ସଂଗ୍ରହ କରିଥିଲା। ଜାନୁଆରି ମାସରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିଥିଲା। ଆକାଉଣ୍ଠିଂ ଏବଂ ଷ୍ଟକ ପ୍ରାଇସ୍‌ରେ ଜାଲିଆତି ଅଭିଯୋଗ ଏଥିରେ କରାଯାଇଥିଲା। ଏଥିଯୋଗୁ ଆଦାନି ଗ୍ରୁପ ଅଧୀନରେ ଥିବା କମ୍ପାନିଗୁଡ଼ିକର ବଜାରପୁଞ୍ଜି ପାଖାପାଖି ୧୪୫ ବିଲିଅନ ଡଲାର ଧୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *