ଖେଳ

କନ୍ଧମାଳ ହେବ ଫୁଟ୍‍ବଲ୍‍ ହବ୍‍: ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର, : ଭୁବନେଶ୍ୱର ଓ କଟକରେ ଚାଲିଥିବା ଅନ୍ତଃଜିଲ୍ଲା ବରିଷ୍ଠ ଫୁଟବଲ୍‍ ପ୍ରତିଯୋଗିତା ସାହାଣୀ କପରେ କନ୍ଧମାଳ ଜିଲ୍ଲା ବରଗଡ଼କୁ ୨-୧ ଗୋଲରେ ପରାସ୍ତ କରି ବିଜୟୀ ହୋଇ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଥିବା ବେଳେ ଆଜି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଫୁଟବଲ୍‍ ଦଳକୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସାହାଣୀ କପ୍‍ ଜିତିଲେ ସାଂସଦଙ୍କ ପକ୍ଷରୁ କନ୍ଧମାଳ ଦଳକୁ ୨ ଲକ୍ଷ ଟଙ୍କା ଓ ରନର୍ସ ଅପ୍‍ ହେଲେ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହି ଅବସରରେ ସେ କହିଲେ, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରାଥମିକତା ଆଧାରରେ ଆସନ୍ତା ୨ବର୍ଷ ପାଇଁ କିଟ୍‍ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଫୁଟବଲ୍‍ ଖେଳାଳିଙ୍କ ଯତ୍ନ ନେବ। ସେମାନେ ଚାହିଁଲେ କିଟ୍‍ରେ ରହି ହାଇ ପରଫରମାନ୍‍ସ ସେଣ୍ଟରରେ ଅଭ୍ୟାସ ଜାରି ରଖିପାରିବେ। ଏହି ଖେଳାଳିଙ୍କୁ ତୃଣମୂଳ ସ୍ତରରୁ କୋଚିଂ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହା ସହ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ନିର୍ଣ୍ଣାୟକ ମ୍ୟାଚ୍‍ରେ ଦଳ ସଫଳତା ଲାଭ କରିବ ବୋଲି ସାଂସଦ ଆଶା ପୋଷଣ କରିଥିଲେ।

କନ୍ଧମାଳ ଏବଂ ବୌଦ୍ଧରେ ଫୁଟବଲ ପଡ଼ିଆଗୁଡ଼ିକର ବିକାଶ ଏବଂ ୫ ରୁ ୬ ପଡ଼ିଆରେ ଫ୍ରଡ୍‍ ଲାଇଟ ସ୍ଥାପନା ନେଇ ପଦକ୍ଷେପ ନିଆଯିବ। ବିଭିନ୍ନ ଜିଲ୍ଲା ତଥା ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା କନ୍ଧମାଳ ଏବଂ ବୌଦ୍ଧ ଦଳ ପାଇଁ ସ୍ୱତନ୍ତ୍ର କୋଚିଂ ଶିବିର ଆୟୋଜନ ସହ ଜାତୀୟ ଦଳରେ ମନୋନୀତ ହୋଇଥିବା କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ଖେଳାଳିଙ୍କୁ ସ୍ୱତନ୍ତ୍ର ସହଯୋଗ ଦିଆଯିବ। ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ସେମାନେ ଚାହିଁଲେ କିଟରେ ବିନାଦେୟରେ ଶିକ୍ଷାଲାଭ କରିପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ। ସଫଳ ଖେଳାଳିଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷାବୃତ୍ତି ପ୍ରଦାନ ସହ ଉଭୟ ପୁରୁଷ ଏବଂ ମହିଳା ଫୁଟବଲ ଦଳ ପାଇଁ ଗ୍ରୀଷ୍ମକାଳୀନ କୋଚିଂ ଶିବିରର ବ୍ୟବସ୍ଥା କରାଯିବ। କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ଫୁଟବଲ କ୍ଲବ ପ୍ରତିଷ୍ଠା କରାଯିବା ଉପରେ ଶ୍ରୀ ସାମନ୍ତ ଗୁରୁତ୍ୱାରୋପ କରିଥିଲେ। ଏହା ସହ ପ୍ରମୁଖ ଜିଲ୍ଲା ତଥା ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତୁଥିବା ଦଳ ଏବଂ ଜାତୀୟ ଦଳରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସାଂସଦ ଶ୍ରୀ ସାମନ୍ତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *