ମହାନଗର

ରବି ଟକିଜ୍‌-ଟଙ୍କପାଣି ନୂଆ ରାସ୍ତାକୁ ଖୋଳିଦେଲେ

ଭୁବନେଶ୍ବର: ଦୀର୍ଘ ଦିନର ଦାବି ପରେ ରବି ଟକିଜ୍‌-ଟଙ୍କପାଣି ରାସ୍ତା ତିଆରି ହେଉଛି। ପ୍ରାୟ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଉଥିଲେ ହେଁ ଏହାକୁ କିଛି ବିଭାଗ ପୁଣି ଖୋଳି ତାଡ଼ି ନଷ୍ଟ କରିବାକୁ ଲାଗିଛନ୍ତି। ଦିନ ରାତି ନୂଆ ପିଚୁକୁ ଖୋଳି ପୂର୍ବ ଭଳି ଖାଲ ଢିପ ରାସ୍ତା କରିବାକୁ ଯେମିତି ବିଭାଗ-ବିଭାଗ ଭିତରେ ପ୍ରତିଯୋଗିତା ଚାଲିଛି। ମୁଖ୍ୟତଃ ୱାଟ୍‌କୋ, ଟିପିସିଓଡିଏଲ୍‌ ଓ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌( ବିଏସ୍‌ସିଏଲ୍‌) ରାସ୍ତାକୁ ଖୋଳି ନଷ୍ଟ କରିଛନ୍ତି। ପୂର୍ତ୍ତ ବିଭାଗ ରାସ୍ତା ନଖୋଳିବାକୁ ବାରଣ କରିବା ସତ୍ତ୍ବେ ମଧ୍ୟ ଖୋଳା ଚାଲୁ ରହିଥିବାରୁ ସଂପୃକ୍ତ ବିଭାଗ ନାମରେ ପୂର୍ତ୍ତ ବିଭାଗ ଏତଲା ଦେବାକୁ ଯୋଜନା କରିଛି।

୨୦୧୧ ମସିହା ଫେବ୍ରୁଆରିରେ ଏହି ରାସ୍ତାକୁ ସଂପ୍ରସାରଣ କରାଯାଇ ଚାରିଥାକିଆ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ କାମ ସରିବାରେ ଅହେତୁକ ବିଳମ୍ବ ହୋଇଥିଲା। ନିମ୍ନମାନର କାମ ଯୋଗୁଁ ବର୍ଷକ ଭିତରେ ରାସ୍ତା ଅବସ୍ଥା ଖରାପ ହୋଇଯାଇଥିଲା। ମଝିରେ ମଝିରେ ପୂର୍ତ୍ତବିଭାଗ ମରାମତି କରିଥିଲେ ମଧ୍ୟ ଅବସ୍ଥା ସୁଧୁରି ନଥିଲା। ଟିପିସିଓଡିଏଲ୍‌, ବିଏସ୍‌ସିଏଲ୍‌, ବିଏସ୍‌ଏନ୍‌ଏଲ୍‌, ସ୍ବେରେଜ୍‌ ବୋର୍ଡ ଓ ୱାଟ୍‌କୋ ଏହି ରାସ୍ତାକୁ ମନଇଚ୍ଛା ଖୋଳିବା ଯୋଗୁଁ ୨୦୧୮ ମସିହା ପରେ ପରେ ରାସ୍ତା ଅବସ୍ଥା ଅଧିକ ଖରାପ ହୋଇ ମରଣଯନ୍ତା ପାଲଟି ଯାଇଥିଲା। ଏହି ରାସ୍ତା ଉପରେ ନିର୍ଭର କରୁଥିବା ରାଜଧାନୀ ଉପକଣ୍ଠ ରଙ୍ଗବଜାର, ବାସୁଆଘାଇ, ବାଙ୍କୁଆଳ, ବାଲିଅନ୍ତା, ବାଳକାଟି ଆଦି ଅଞ୍ଚଳବାସୀଙ୍କ ମଧ୍ୟରେ ରାସ୍ତାର ଦୂରବସ୍ଥା ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ୨୦୨୨ ଜୁଲାଇରେ ଶିଳାନ୍ୟାସ ହୋଇଥିଲା। ଦୁଇ କିଲୋମିଟର ରାସ୍ତା ପାଇଁ ୨.୬୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଠିକା ସଂସ୍ଥା ରାସ୍ତା ଆରମ୍ଭ କରିବା ବେଳକୁ ପୁଣି ଉପରୋକ୍ତ ବିଭାଗ ଗୁଡ଼ିକ ରାସ୍ତାକୁ ଖୋଳି କାମ କଲେ। ଫଳରେ ଅନ୍ୟ ବିଭାଗ ଗୁଡ଼ିକ କାମ ସାରିବା ପରେ ଠିକାସଂସ୍ଥା କାମ କରିବ ବୋଲି ଜଣାଇ ଦେଇଥିଲା। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଅନ୍ୟ ବିଭାଗ ଗୁଡ଼ିକୁ ମଧ୍ୟ ଅବଗତ କରାଯାଇଥିଲା।
ସବୁ ପରେ ଚଳିତ ବର୍ଷ ପହିଲାରୁ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ କାମ ସରିଛି।

ଟଙ୍କପାଣି ଛକ ନିକଟରେ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇନଥିବାରୁ ବାକି କାମ ହୋଇ ପାରୁନାହିଁ। ହେଲେ ଆଶ୍ଚର୍ଯ୍ୟର କଥା ପିଚୁ ହୋଇ ସାରିଥିବା ନୂଆ ରାସ୍ତାକୁ ଏବେ ୱାଟ୍‌କୋ, ଟିପିସିଓଡିଏଲ୍‌ ଓ ବିଏସ୍‌ସିଏଲ୍‌ ଖୋଳିବାରେ ଲାଗିଛନ୍ତି। କିଛି ସ୍ଥାନରେ ରାସ୍ତା ଦବୁଥିବା ବେଳେ କିଛି ସ୍ଥାନରେ ରାସ୍ତା ଉପରେ ମାଟି, ବାଲି, ଗୋଡ଼ି ଗଦା ହୋଇରହିଛି। ରାସ୍ତା ଖୋଳି କାମ ସାରିବା ପରେ ଉକ୍ତ ସ୍ଥାନକୁ ମଧ୍ୟ ମରାମତି କରାଯାଉନାହଁ। ରାସ୍ତାକୁ ଖୋଳା ଯାଉଥିବାରୁ ଏହାର ସ୍ଥାୟିତ୍ବ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ପୂର୍ତ୍ତ ବିଭାଗର ଏସ୍‌ଡିଓ ପୂର୍ଣ୍ଣଚନ୍ଦ୍ର ମୁଦୁଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି କୌଣସି ବିଭାଗ ପୂର୍ତ୍ତବିଭାଗଠାରୁ ଅନୁମତି ନନେଇ ବେଆଇନ ଭାବେ ରାସ୍ତାକୁ ଖୋଳୁଛନ୍ତି। ଆମ ଅଧିକାରୀମାନେ ସେମାନଙ୍କୁ ବାରମ୍ବାର ବାରଣ କରିବା ସହ ନଖୋଳିବା ପାଇଁ ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ଉପରୋକ୍ତ ଅଧିକାରୀଙ୍କୁ ବି ଅବଗତ କରାଯାଇଛି। ସେମାନେ ତୁରନ୍ତ ଖୋଳିବା ବନ୍ଦ ନକଲେ ଆମେ ଆଇନର ଆଶ୍ରୟ ନେବୁ ଏବଂ ସଂପୃକ୍ତ ବିଭାଗ ନାମରେ ଏତଲା ଦେବୁ ବୋଲି ଶ୍ରୀ ମୁଦୁଲି କହିଛନ୍ତି

Leave a Reply

Your email address will not be published. Required fields are marked *