ରାଜନୀତି

ସିଦ୍ଦରମେୟା ହେବେ ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚାରି ଦିନର ରାଜନୈତିକ କସରତ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରିତ୍ବକୁ ନେଇ ଜାରିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବରିଷ୍ଠ ନେତା ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତ ମଧ୍ୟରାତ୍ରିରେ ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ।କଂଗ୍ରେସ ଶୀର୍ଷ ନେତୃତ୍ବ ସିଦ୍ଦରମେୟାଙ୍କ ନାମରେ ମୋହର ମାରିଥିବା ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ମିଳିଛି। ଏହି ପଦବୀ ଲାଗି ପ୍ରମୁଖ ଦାବିଦାର ଥିବା ଡି.କେ ଶିବକୁମାରଙ୍କୁ ମନାଇବାକୁ ସକ୍ଷମ ହୋଇଛି କଂଗ୍ରେସ। କର୍ଣ୍ଣାଟକର କଂଗ୍ରେସର  ରାଜ୍ୟ ସଭାପତି ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ସମ୍ମତ ହୋଇଛନ୍ତି । ମେ ୨୦ରେ ବେଙ୍ଗାଲୁରୁରେ ନୂତନ ମନ୍ତ୍ରିମଣ୍ଡଳର  ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

ବୁଧବାର ଦିନ ତମାମ୍ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ ପୂର୍ତତନ ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ ଶୀର୍ଷ ପଦବୀକୁ ନେଇ ନିଷ୍ପତ୍ତି ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରି ରହିଥିବା ଅଚଳାବସ୍ଥାକୁ  କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ଡି.କେ ଶିବକୁମାରଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଗତ ୧୩ ତାରିଖଠାରୁ ଲାଗି ରହିଥିଲା ସସ୍‌ପେନ୍ସ।  ଗତକାଲି ମଧ୍ୟରେ ରାଜ୍ୟରେ ନୂଆ ସରକାର ଗଠନ ହେବ ବୋଲି ଆଶା କରାଯାଉଥିଲେ ହେଁ  ମଧ୍ୟରାତ୍ରି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ଥିର ହୋଇପାରିନଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ୨ ପ୍ରତିଦ୍ବନ୍ଦ୍ବୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଭେଟିବାପରେ  ପୁଣିଥରେ ପୃଥକ୍‌ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଶେଷରେ ରାହୁଲ ଗାନ୍ଧି ଓ ଖାଡଗେଙ୍କ ସହ ଏକତ୍ର ବୈଠକ ପରେ ସମାଧାନର ସୂତ୍ର ବାହାରିଥିଲା। ତେବେ  ସିଦ୍ଦରମେୟାଙ୍କ ପ୍ରତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଅଧିକାଂଶ ନବ ନିର୍ବାଚିତ ବିଧାୟକଙ୍କ ସମର୍ଥନ ଥିଲା ବୋଲି ଚର୍ଚ୍ଚା ହେଉଥିଲା।

Leave a Reply

Your email address will not be published. Required fields are marked *