ମୁଖ୍ୟ ଖବର

ଆଜିଠୁ ଗଡ଼ିବ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଗୁରୁବାର ପୁରୀରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଚାଲିବ। (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌(୨୨୮୯୫) ହାଓଡ଼ାରୁ ସକାଳ ୬ଟା ୧୦ରେ ପୁରୀ ଅଭିମୁଖେ ବାହାରିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦, ଖୋର୍ଦ୍ଧାରୋଡରେ ୧୧ଟା ୪୨ ଓ ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ।ସେହିପରି ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌(୨୨୮୯୬) ପୁରୀରୁ ଅପରାହ୍ଣ ୧ଟା ୫୦ରେ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍‌ ଖୋର୍ଦ୍ଧା ରୋଡରେ ୨ଟା ୨୩, ଭୁବନେଶ୍ବରରେ ୨ଟା ୪୫, ଯାଜପୁର-‌କେନ୍ଦୁଝରରୋଡରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ବରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ। ଉଭୟ ଅପ୍‌ ଓ ଡାଉନ୍‌ ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନରେ ୪ ମିନିଟ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ୍‌ ଲେଖାଏ ଅଟକିବ। ଗୁରୁବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ଏହି ଟ୍ରେନ୍‌ ନିୟମିତ ଭାବେ ଚାଲିବ। ୧୬ଟି କୋଚ୍‌ ବିଶିଷ୍ଟ ଏହି ଏକ୍ସପ୍ରେସ୍‌ ଦକ୍ଷିଣ ପୂର୍ବ ରେଳ ଡିଭିଜନ୍‌ ଅଧୀନରେ ଚାଲିବ। ଲୋକାର୍ପଣ ପରେ ‘ଆପ୍‌’ ଅଥବା ‘ୱେବ୍‌ସାଇଟ୍‌’ ମାଧ୍ୟମରେ ଟିକେଟ୍‌ କିଣାଯାଇ ପାରିବ। ଏହି ଟ୍ରେନ୍ ରେଳ ଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଓ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ। ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ।

ପ୍ରଥମଥର ଲାଗି ଓଡ଼ିଶାରେ ଚାଲିବାକୁ ଥିବା ଏହି ଟ୍ରେନ୍‌ର ଉଦ୍‌ଘାଟନୀ ଉତ୍ସବ ପୁରୀ ରେଳ ଷ୍ଟେସନରେ ଅନୁଷ୍ଠିତ ହେବ। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପୁନଃବିକାଶ ହେଉଥିବା ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଅପରେଟିଂ ଓ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବା ସହ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବ।

ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ୍‌ ଗଜ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ମଧ୍ୟରେ ତୃତୀୟ ଲାଇନ୍ ଓ ବିଛୁପାଲି-ଝାରତରଭା ମଧ୍ୟରେ ନୂତନ ବ୍ରଡ-ଗଜ୍ ଲାଇନକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଓଡ଼ିଶାର ଇସ୍ପାତ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେତୁ ଏଗୁଡ଼ିକ ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ। ଏହି ରେଳ ସେକ୍ସନରେ ଯାତ୍ରୀ ପରିବହନ ଉପରେ ଚାପକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *