ଅପରାଧ

ସୁର୍‌ନାଗ୍ ବିଲ୍‌ଡର୍ସ ଘରେ ଇଡି ଚଢ଼ଉ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ଚଢ଼ଉରେ କଟକରୋଡ୍‌ସ୍ଥିତ ସୁର୍‌ନାଗ୍ ବିଲ୍‌ଡର୍ସଙ୍କ ଘରୁ ‌୧ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଓ ନଗଦ ୧୫ ଲକ୍ଷ ଜବତ କରାଯାଇଛି। ୟୁନିୟନ୍‌ ବ୍ୟାଙ୍କ୍‌ରୁ ୩୨ କୋଟି ଟଙ୍କା ଠକେଇ ମାମଲାରେ ଏହି ଚଢ଼ଉ ହୋଇଛି। ଗୁରୁବାର ଦିନ କଟକରୋଡ୍ ସମେତ ‌ମୋଟ ୮ଟି ସ୍ଥାନରେ ଏକ ସଙ୍ଗରେ ଚଢ଼ଉ କରାଯାଇଥିଲା।

ସୂଚନାନୁସାରେ ଦ୍ବାରିକା ବିଲ୍‌ଡର୍ସ ସଂସ୍ଥା ସହ ମିଶି ସୁରନାଗ‌୍ ସଂସ୍ଥା ମିଳିତ ଭାବେ ଝାରପଡ଼ା ଜଗନ୍ନାଥନଗରରେ ଜମି କିଣି ଆପାର୍ଟମେଣ୍ଟ ତିଆରି କରିବାକୁ ଚୁକ୍ତି କରିଥିଲେ। ଦ୍ବାରିକା ସଂସ୍ଥାର ମାଲିକ ଉମାଶଙ୍କର ପାତ୍ରଙ୍କୁ ପାୱର ଅଫ୍ ଆର୍ଟର୍ଣ୍ଣି ଦିଆଯାଇଥିଲା। ଏହା ବଳରେ ଉମା ୟୁନିୟନ୍‌ ବ୍ୟାଙ୍କରୁ ଋଣ ବାବଦରେ ୩୨ କୋଟି ଟଙ୍କା ଉଠାଇଥିଲେ। ସେଥିରୁ ଉମା ୬ କୋଟି ଟଙ୍କା ସୁନା ଦୋକାନ‌ରେ ନିବେଶ କରିଥିଲେ ଏବଂ ସୁର୍‌ନାଗ ବିଲଡର୍ସ ସଂସ୍ଥାର ମାଲିକ ଅଶୋକ ପାତ୍ର ଓ ଅନୁପ୍ରିୟ ପାତ୍ରଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ।

ପରେ ବ୍ୟାଙ୍କ‌ ପକ୍ଷରୁ ବାରମ୍ବାର ନୋଟିସ ହେବା ପରେ ମଧ୍ୟ ଉମା ଋଣ ଶୁଝି ନଥିଲେ। ତେଣୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସିବିଆଇର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ସିବିଆଇ କିଛି ବ୍ୟାଙ୍କ କର୍ମଚାରୀଙ୍କ ସମେତ ଉମାଙ୍କୁ ଗିରଫ କରିଥିଲା। ଏହାପରେ ଉମା ସୁପ୍ରିମ୍‌କୋର୍ଟରୁ ଜାମିନ ପାଇଥିଲେ। ପରେ ମାମଲା ଇଡି ପାଖକୁ ଯାଇଥିଲା। ଇଡି ସୁର୍‌ନାଗ ବିଲ୍‌ଡର୍ସ ମାଲିକଙ୍କ ଘର ସମେତ ୮ ଜାଗାରେ ଚଢ଼ଉ କରାଯାଇଥିଲା। ଇଡି ଚଢ଼ଉ ଜାଣିବା ପରେ ଦ୍ବାରିକା ବିଲ୍‌ଡର୍ସ ମାଲିକ ଉମା ଫେରାର୍‌ ହୋଇଯାଇଛି। ଉମା ବହୁ ଜମି ମାଲିକଙ୍କ ସମେତ କିଛି ସୁନା ଦୋକାନୀଙ୍କୁ ଠକି ଥିବା ନେଇ ଇଡିକୁ ତଥ୍ୟ ମିଳିଛି।

Leave a Reply

Your email address will not be published. Required fields are marked *