ମୁଖ୍ୟ ଖବର

ମନ୍ତ୍ରୀ ହେବେ ବିକ୍ରମ, ସୁଦାମ, ଶାରଦା

ଭୁବନେଶ୍ବର : ସୋମବାର ଦିନ ସକାଳେ ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ଏଥିପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆବଶ୍ୟକ ପ୍ରସ୍ତୁତି ‌‌ଶେଷ ହୋଇଛି। ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ଦଳ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନଥିଲେ ବି ଏହି ତିନି ଜଣଙ୍କୁ ମୁଖ୍ୟମନ୍ତ୍ରୀ କଲ୍‌ କରିଥିବା ଜଣାପଡ଼ିଛି। ତେବେ ପରବର୍ତ୍ତୀ ବାଚସ୍ପତି କିଏ ହେ‌େବ, ତାହା ସ୍ପଷ୍ଟ ହୋଇନି। ଶପଥ ଗ୍ରହଣ ପରେ କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବାର ସମ୍ଭାବନା ରହିଛି।

ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲିପଡ଼ିଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟିରେ ଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବିଳମ୍ବିତ ହୋଇଥିଲା। ଆଜି ରାତିରେ ରାଜ୍ୟପାଳ ଓଡ଼ିଶା ଫେରିଛନ୍ତି। ୨୨ ତାରିଖରେ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ଚୂଡ଼ାନ୍ତ ହେଲା ପରେ ଗତକାଲିଠାରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ନବୀନ ନିବାସରୁ କାହା ପାଖକୁ କଲ୍‌ ଯାଉଛି, ସେ ନେଇ ଉତ୍କଣ୍ଠା ବଢ଼ିଥିଲା। ସାମାଜିକ ଗଣମାଧ୍ୟମରେ ବହୁ ବିଧାୟକଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ଠୋସ୍‌ ସୂଚନା କିଛି ମିଳି ନଥିଲା। ଶେଷରେ ରାତି ୮ଟା ପରେ ମନ୍ତ୍ରୀ ହେବାକୁ ଥିବା ତିନି ବରିଷ୍ଠ ବିଧାୟକଙ୍କ ନାମ ସ୍ପଷ୍ଟ ହୋଇଥିଲା।ଯଦି ନିର୍ଦ୍ଧାରିତ ସମୟରେ ସାଧାରଣ ନିର୍ବାଚନ ହୁଏ, ତେବେ ନୂଆ ମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ଏକ ବର୍ଷରୁ କମ୍ ସମୟ
ରହିବ। କିନ୍ତୁ ଦଳର ସୁପ୍ରିମୋ ଯେପରି ନୂଆ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛନ୍ତି, ସେଥିରୁ ବିଜେଡିର ସାଂଗଠନିକ ରଣନୀତିର ସ୍ପଷ୍ଟ ଆଭାସ ମିଳୁଛି। ତିନି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ ଓ ସୁନ୍ଦରଗଡ଼ରେ ଦଳର ସଂଗଠନକୁ ଅଧିକ ମଜବୁତ୍‌ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ରଣନୀତିର ଏହା ଏକ ଅଂଶ ବୋଲି ରାଜନୈତିକ ମହଲରେ ଆକଳନ କରାଯା‌ଉଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି।

ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି। ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରି ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିବାକୁ ଯାଉଛନ୍ତି। ମୟୂରଭଞ୍ଜରେ ବିଜେଡି ସଂଗଠନ ସେତେଟା ମଜବୁତ୍ ନଥିଲା ବେଳେ ସୁଦାମ ନିଜେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାକୁ ନେଇ ବିଜେଡି ଅକଳରେ ପଡ଼ିଯାଇଥିଲା। ସୁଦାମଙ୍କୁ ପୁନର୍ବାର ମନ୍ତ୍ରୀ କରି ବିଜେଡି ପ୍ରଭାବୀ ଢଙ୍ଗରେ ଜିଲ୍ଲାରେ ବିଜେପିକୁ ମୁକାବିଲା କରିବାକୁ ଯୋଜନା ହୋଇଛି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରୀ ହୋଇଛନ୍ତି। ମୟୂରଭଞ୍ଜର ମୋଟ୍‌ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ଟି ଓ ବିଜେଡି ଦଖଲରେ ୩ଟି ରହିଛି।

ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି।

ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ପ୍ରସ୍ତୁତି କରାଯାଇଛି। ଗତ ବର୍ଷ ମଧ୍ୟ ମନ୍ତ୍ରିମଣ୍ଡଳର ଅବଦଳବଦଳ ବେଳେ ଏହିଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀମାନେ ୯ଟା ୩୦ ସୁଦ୍ଧା ପହଞ୍ଚିବେ। ୯ଟା ୪୦ରେ ମୁଖ୍ୟମନ୍ତ୍ରୀ ଓ ୫ ମିନିଟ୍‌ ପରେ ରାଜ୍ୟପାଳ ଉତ୍ସବ ସ୍ଥଳକୁ ଆସିବେ। ୯ଟା ୫୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *