ଅପରାଧ

ଅର୍କେଶ-ଅଦ୍ରିଜା ବିବାଦ: ଡେରା‌ଡୁନ୍‌ରେ ରୁଜୁ ହୋଇଛି ମାମଲା ‌

ବଲାଙ୍ଗୀର : ବଲାଙ୍ଗୀର ରାଜ ପରିବାରର ଘରୋଇ କଳହକୁ ନେଇ ସାରାରାଜ୍ୟରେ ଏବେ ଚର୍ଚ୍ଚା। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଅର୍କେଶ ଏବଂ ଅଦ୍ରିଜାଙ୍କ ମଧ୍ୟରେ ବିବାଦ ବହୁଦିନରୁ ବାହାରିଥିଲେ ବି ଗତ ଡିସେମ୍ବରରୁ ଏହା ଉଗ୍ରରୂପ ନେଇଥିଲା। ଡେରାଡୁନ ପୁଲିସ ଷ୍ଟେସନରେ ହୋଇଥିବା ଅଭିଯୋଗରୁ ଏହା ଜଣାପଡ଼ିଛି। ସେଠାକାର ପୁଲିସ ବି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅର୍କେଶ ନାରାୟଣ ସିଂହଦେଓ ଏବଂ ଅଦ୍ରିଜା ମଂଜରୀଙ୍କ ଭିତରେ ୨୦୧୪ ମସିହାରୁ ଚିହ୍ନା ପରିଚୟ ଥିଲା। ୨୦୧୭ ମସିହାରେ ଅର୍କେଶ ଓ ଅଦ୍ରିଜାଙ୍କ ବିବାହ ହୋଇଥିଲା। ବିବାହ ପରେ କିଛିଦିନ ସବୁ ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ, ୨୦୨୨ ମସିହାରୁ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା ଏବଂ ଏହି ବିବାଦ ଡେରାଡୁନ ରାଜପୁତରୋଡ ପୁଲିସ ଷ୍ଟେସନରେ ପହଞ୍ଚିଥିଲା।
ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ ଗତ ୨୦୨୨ ମସିହା ଅଗଷ୍ଟରେ ଅର୍କେଶ ଛାଡ଼ପତ୍ର ପାଇଁ ଅଦ୍ରିଜାଙ୍କୁ କହିଥିଲେ। ଆଉ ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ କାଗଜପତ୍ର ପଠାଇଥିଲେ। ଏହାପରେ ଅଦ୍ରିଜା ସେଠାକାର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଗତ ଫେବ୍ରୁଆରିରେ ପ୍ରଥମେ ମାମଲା ଥାନାକୁ ଯାଇଥିଲା। ଅଦ୍ରିଜାଙ୍କ ଭଉଣୀ ରିଚା ମଂଜରୀ ସିଂହ ଥାନାରେ ଅଭିଯୋଗ କରିଥିଲେ, ତାଙ୍କ ଭଉଣୀ ଅସୁରକ୍ଷିତ ରହୁଛନ୍ତି। ଘରୁ ତଡ଼ିବାକୁ ଉଦ୍ୟମ କରାଯିବା ସହ ଧମକଚମକ ଦିଆଯାଉଛି। ତାଙ୍କ ଅଭିଯୋଗକୁ ଭିତ୍ତିକରି ୫୦୪ ଓ ୫୦୬ ଦଫାରେ ଅର୍କେଶ ଓ ତାଙ୍କ ଦୁଇଜଣ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତେବେ, ଚଳିତମାସରେ ଏହି ବିବାଦ ସାମ୍‌ନାକୁ ଆସିଛି।

ହସ୍ତଗତ ସୂଚନାରୁ ଜଣାପଡ଼ିଛି ଯେ ଡେରାଡୁନ ପୁଲିସ ସମଗ୍ର ଘଟଣାକୁ ଗୁରୁତ୍ବର ସହ ନେଇଛି। ଖୁବ୍‌ଶୀଘ୍ର ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପଚରାଉଚୁରା କରିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *