ଦେଶ- ବିଦେଶ

ବିଶ୍ୱାସୀ ମାନେ ଅସୁବିଧାରେ ସାହା ହେଲେନି : ମୋଦି

ନୂଆଦିଲ୍ଲୀ: ‘ଗ୍ଲୋବାଲ୍‌ ସାଉଥ୍‌’ ବିଶ୍ବରେ ସବୁଠୁ ଅଧିକ ବିପଦଗ୍ରସ୍ତ ହୋଇପାରେ ବୋଲି ଜାଣିଥିଲେ ବି ଆବଶ୍ୟକ ବେଳେ ସେମାନେ ସାହାଯ୍ୟ କଲେ ନାହିଁ ବୋଲି ବିକଶିତ ରାଷ୍ଟ୍ରମାନଙ୍କୁ ସମାଲୋଚନା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପାପୁଆ ନ୍ୟୁ ଗିନିରେ ଆୟୋଜିତ ୩ୟ ‘ଇଣ୍ଡିଆ-ପେସିଫିକ୍‌ ଆଇଲାଣ୍ଡ୍‌ସ୍‌ କୋଅପରେସନ୍‌’ (ଏଫ୍‌ଆଇପିଆଇସି) ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଲେ, ଇନ୍ଧନ, ଖାଦ୍ୟ, ସାର ଓ ଔଷଧ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ଘଟିଥିବା କଥା ଆଜି ଆମେ ଦେଖୁଛନ୍ତି। ଆମେ ଯେଉଁମାନଙ୍କୁ ଭରସା କରିଥିଲେ, ଆବଶ୍ୟକ ବେଳେ ସେମାନେ ଆମକୁ ସାହାଯ୍ୟ କଲେ ନାହିଁ।

ସେ ଆହୁରି ମଧ୍ୟ କହିଲେ ଯେ, କୋଭିଡ୍‌-୧୯ ମହାମାରୀ ସମୟରେ ‘ଗ୍ଲୋବାଲ୍‌ ସାଉଥ୍‌’ ସବୁଠୁ ଅଧିକ ଅସୁବିଧାରେ ପଡ଼ିଥିଲା। ଏହା ପୂର୍ବରୁ ଏଠାରେ ଜଳବାୟୁ, ପ୍ରାକୃତିକ ବିପର୍ଯ୍ୟୟ, କ୍ଷୁଧା, ଦାରିଦ୍ର୍ୟ ଏବଂ ସ୍ବାସ୍ଥ୍ୟ ଆଦି ସମସ୍ୟା ଥିଲା। ଏବେ ନୂଆ ନୂଆ ସମସ୍ୟା ସବୁ ଦେଖା ଦେଲାଣି। ଅସୁବିଧା ସମୟରେ ଭାରତ ତା’ର ବନ୍ଧୁଭାବାପନ୍ନ ‘ପେସିଫିକ୍‌ ଆଇଲାଣ୍ଡସ୍‌’ ଦେଶମାନଙ୍କୁ ସାହାଯ୍ୟ କରିଥିବାରୁ ମୁଁ ଆନନ୍ଦିତ।ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍‌ସ୍‌ ମାରାପେ ମଧ୍ୟ ବୈଶ୍ବିକ ପ୍ଲାଟ୍‌ଫର୍ମରେ ଭାରତର ନେତୃତ୍ବକୁ ପ୍ରଶଂସା କରିବା ସହିତ ସହାୟତା ଲାଗି ପ୍ରଧାମନ୍ତ୍ରୀ ମ‌ୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଆମେ ବୈଶ୍ବିକ କ୍ଷମତା ବିସ୍ତାରକାରୀଙ୍କ ଛକାପଞ୍ଝାର ସରବ୍ୟ ହୋଇଛୁ। ଆପଣ ‘ଗ୍ଲୋବାଲ୍‌ ସାଉଥ୍‌’ର ନେତା। ବୈଶ୍ବିକ ମଞ୍ଚରେ ଆମେ ଭାରତର ନେତୃତ୍ବକୁ ଅନୁସରଣ କରିବୁ।ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି-ରାଷ୍ଟ୍ର ଗସ୍ତରେ ଅଛନ୍ତି। ଜାପାନର ହିରୋସିମାରେ ଅନୁଷ୍ଠିତ ‘ଜି୭’ ଶିଖର ସମ୍ମିଳନୀରେ ଯୋଗ ଦେଇ ସେ ରବିବାର ଦିନ ପାପୁଆ ନ୍ୟୁ ଗିନିର ରାଜଧାନୀ ‌ପୋର୍ଟ ମୋର୍ସବିରେ ପହଞ୍ଚିଥିଲେ। ସେଠାରେ ସେ ଭାରତ ଓ ୧୪ଟି ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବା ଲାଗି ଆୟୋଜିତ ପ୍ରମୁଖ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଦ୍ବୀପ ଦେଶକୁ ଗସ୍ତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *