ମୁଖ୍ୟ ଖବର

ମଙ୍ଗଳବାର ପୁଣି ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ଗତ କାଲି (ରବିବାର) ଦିନ ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ମଙ୍ଗଳବାର ପୁଣି ଚାଲିବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। ଚାରିଦିନ ତଳେ ପୁରୀରେ ଲୋକାର୍ପିତ ଭାରତର ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ଟ୍ରେନ୍ ପୁରୀ-ହାଓଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରବିବାର ଦିନ ଝଡ଼ତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀରୋଡ୍‌ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା। ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ୍‌ଟି ଟ୍ରାକ୍‌ରେ ଅଟକି ରହିବାପରେ ରେଳବାଇର ବୈଷୟିକ ଟିମ୍‌ ସେଠାରେ ପହଞ୍ଚି ମରାମତି କରିଥିଲେ।

ଏହି ଡାଉନ୍‌ ଟ୍ରେନ୍‌ଟି ଅପରାହ୍ନ ୪.୩୦ରେ ଯାଜପୁରରୋଡ ଷ୍ଟେସନ ଅତିକ୍ରମ କରିଥିଲା। ବୈତରଣୀ ନଦୀ ସେତୁ ସମ୍ପୂର୍ଣ୍ଣ ପାର୍‌ ହୋଇନଥିବା ବେଳେ ଝଡ଼ତୋଫାନ ଯୋଗୁ ମଞ୍ଜୁରୀରୋଡ୍‌ ରେଳ ଷ୍ଟେସନ୍‌ ମଧ୍ୟବର୍ତ୍ତୀ ଖପୁରିଆପଦାଠାରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବା ସହ ଗଛଡ଼ାଳ ଭାଙ୍ଗି ଏକ୍ସପ୍ରେସ୍‌ର ଆଗ କାଚ (ଲୋକୋ ପାଇଲଟ୍‌ କ୍ୟାବିନ୍) ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଥିଲା। ଏହିସମୟରେ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଦେଇଥିବା କୁହାଯାଉଛି। ୩ ଘଣ୍ଟା ଧରି ଟ୍ରେନ୍‌ ଅଟକି ରହିଥିବା ବେଳେ ଶହ ଶହ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ।

ଟ୍ରାକ୍‌ରେ ଟ୍ରେନ୍‌ଟି ଠିଆ ହୋଇଥିବାରୁ ଡାଉନ୍‌ ଲାଇନ୍‌ରେ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ଥିଲା। ରେଳ ବିଭାଗର ବୈଷୟିକ ଟିମ୍‌ ଓ ଅନ୍ୟାନ୍ୟ ଅଧିକାରୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ୍‌ର ମରାମତି କାର୍ଯ୍ୟ କରିଥିଲେ। ତେବେ, ଡିଜେଲ୍‌ ଇଞ୍ଜିନ ସହାୟତାରେ ରାତି ୮ଟା ୪୫ ମିନିଟ୍‌ ସମୟରେ ବନ୍ଦେ ଭାରତ ଟ୍ରେନ୍‌ ହାଓଡ଼ା ଅଭିମୁଖେ ଯାତ୍ରା କରିଥିଲା। ଏହି ଟ୍ରେନର ସମ୍ପୂର୍ଣ୍ଣ ମରାମତି ସରିଛି। ମଙ୍ଗଳବାର ଏହି ଟ୍ରେନ ପୁଣି ଟ୍ରାକରେ ଚାଲିବ ବୋଲି ଜଣାପଡିବା ପରେ ଯାତ୍ରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *