ଅପରାଧ

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ସାକ୍ଷ୍ୟ ଦେଲେ ସାମ୍ବାଦିକ ଶରତ ପଣ୍ଡା

ଭଦ୍ରକ: ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଗ୍ରୀଷ୍ମ ଅବକାଶ ଅଦାଲତରେ ଆଜି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଦ୍ବିତୀୟ ସାକ୍ଷୀ ଭାବରେ ସ୍ବାଧିକାର ୱେବ ଚାନେଲର ସାମ୍ବାଦିକ ଶରତ ପଣ୍ଡା ତାଙ୍କ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଗ୍ରୀଷ୍ମ ଅବକାଶ ପାଇଁ ପୁଲିସ ନ ଆସିବାରୁ ଜେଲରେ ଥିବା ଶର୍ମିଷ୍ଠା ରାଉତ, ଝୁନା ଭୋଇ, ଭାଗ୍ୟଧର, ରାଜ ଓରଫ ରଞ୍ଜନ ସେଠୀକୁ ଜେଲରୁ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର କରା ନଯାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲ ଭିତରୁ ହାଜର କରା ଯାଇଥିଲା। ଜାମିନରେ ଥିବା ନିରଞ୍ଜନ ସେଠୀ, କୃଷ୍ଣଚନ୍ଦ୍ର ସାହୁ, ବିବେକ ସେଠୀ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହୋଇଥିଲେ। ସାମ୍ବାଦିକ ଶରତ ପଣ୍ଡା ନିଜ ବୟାନରେ କହିଥିଲେ ତାଙ୍କୁ କବିଲ ନ୍ୟୁଜର ଚାନ୍ଦବାଲି ପ୍ରତିନିଧି ବାପୁ ଓରଫ ଦେବାଶିଷ ଜେନା ଗତ ୪ ତାରିଖରେ ଫୋନ କରି କହିଥିଲା ଭୁବନେଶ୍ୱରରୁ ସମ୍ପୂର୍ଣ୍ଣା ନ୍ୟୁଜ ଚାନେଲ ମାଲିକ ଶର୍ମିଷ୍ଠା ରାଉତ ଫୋନ କରି କିଛି ତଥ୍ୟ ଜାଣିବାକୁ ଚାହୁଁ ଥିବାରୁ ସେ ଫୋନ କଲେ ତାଙ୍କ ସହ କଥା ହୋଇ ଆବଶ୍ୟକ ସହାୟତା କରିବାକୁ ଅନୁରୋଧ କରିଥିଲା। କିଛି ସମୟ ପରେ ଶର୍ମିଷ୍ଠା ଫୋନ କରି ପଳାସପୁର ଗ୍ରାମରେ କାହାର ବାହାଘର ହେଉଛି ବୋଲି ପଚାରି ଥିଲେ। ସେ ବୁଝି କହିବେ ବୋଲି ତାଙ୍କୁ କହିଥିଲେ।

ମାତ୍ର ତା’ ପରଦିନ ସକାଳେ ଶର୍ମିଷ୍ଠା, ଝୁନା ଭୋଇ ତାଙ୍କ ପାଖରେ ଏକ କାରରେ ପହଞ୍ଚି ବାହାଘର ହେଉଥିବା ପଳାସପୁର ଗ୍ରାମର ବଳଭଦ୍ର ଭୋଳଙ୍କ ଘରକୁ ଯାଉଛନ୍ତି କହି ସେଠାରୁ ପଳାଇ ଆସିଥିଲେ। ୭ ତାରିଖ ସକାଳେ ମାନସ ଓ ଦେବାଶିଷ ଜେନା ସ୍କୁଟିରେ ଫେରୁଥିବା ବେଳେ ପଳାସପୁର ମନ୍ଦିର ପାଖରେ ସେ ତାଙ୍କୁ ଅଟକାଇଲା ଓ ସେଠାରେ ଶର୍ମିଷ୍ଠା ଓ ଝୁନା ଭୋଇ ଏକ କାରରେ ପହଞ୍ଚି ସାରି ଅପେକ୍ଷା କରିଥିଲେ। ସେ ରହିବା ପରେ ତାଙ୍କ ପଛରେ ଥିବା କାର ଯେଉଁଥିରେ ‘ପ୍ରେସ’ ଲେଖା ଥାଇ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଆସି ମାନସକୁ ମୋବାଇଲ କ୍ୟାମେରା ଓ ଚିପ ମାଗିଥିଲେ। ସେ ମନା କରିବାରୁ ସେମାନେ ତା’ ଗାଲକୁ ଦୁଇ ଚାପୁଡା ମାରି କାର ଭିତରକୁ ଘୋଷାରି ନେଇ ବସାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନା ଭୋଇକୁ ସେ ଚିହ୍ନିଥିଲା। ପରେ ପୁଲିସ ପାଖରେ ତାର ବୟାନ ରେକର୍ଡ ହେବା ପରେ ସେହି ବର୍ଷ ଏପ୍ରିଲ ୨୨ ତାରିଖରେ ତାର ବୟାନକୁ ଚାନ୍ଦବାଲି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ୧୬୪ ଦଫାରେ ରେକଡିଂ ମଧ୍ୟ କରିଥିଲେ।

ପ୍ରକାଶ ଥାଉ କି, କ୍ରାଇମବ୍ରାଞ୍ଚ ତରଫରୁ ଯେଉଁ ଚିହ୍ନଟ ପ୍ରକ୍ରିୟା (ଟି.ଆଇ.ପ୍ୟାରେଡ) ହୋଇଥିଲା ସେତେବେଳେ ସେ ଶର୍ମିଷ୍ଠା, ତାର ସହଯୋଗୀ ଝୁନା, ରାଜ ଓ ବିବେକକୁ ଚିହ୍ନିଥିଲା। ଆଜି ଦିନ ତମାମ ସାମ୍ବାଦିକ ଶରତ ପଣ୍ଡାଙ୍କୁ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଓକିଲ ବସନ୍ତ ଦାସ, ଶରତ ମହାପାତ୍ର ଗୁଡ଼େ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ। ରାଜ୍ୟର ଏହି ବହୁଚର୍ଚ୍ଚିତ ଅପହରଣ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରି ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି।

One thought on “କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ସାକ୍ଷ୍ୟ ଦେଲେ ସାମ୍ବାଦିକ ଶରତ ପଣ୍ଡା

Leave a Reply

Your email address will not be published. Required fields are marked *