ରାଜ୍ୟ

ସବ୍ ଡିଭିଜନ ମାନ୍ୟତା ଦାବିରେ ଆନ୍ଦୋଳନ ଡାକରା


ନିମାପଡ଼ା : ପୁରୀ ଜିଲ୍ଲା ର ନିମାପଡ଼ା କୁ ଉପଖଣ୍ଡ ଘୋଷଣା କରାଯିବାକୁ ଦାବି ଜୋର ଧରିଛି। ଯଦି ସରକାର ଏ ଦିଗରେ ଦୃଷ୍ଟି ନ ଦିଅନ୍ତି ତେବେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଯେତେବେଳେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଉପଖଣ୍ଡ ଘୋଷଣା କରାଯିବ ସେତେବେଳେ ନିମାପଡ଼ା କୁ ଉପଖଣ୍ଡ ଘୋଷଣା କରାଯିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଏହା ଜଣାପଡିବା ପରେ ନିମାପଡ଼ା ଉପଖଣ୍ଡ ଗଠନ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏହାର ଅଧ୍ୟକ୍ଷ ଆଇନଜିବୀ ସୁଧୀର ମହାନ୍ତି କହିଛନ୍ତି ।ଶ୍ରୀ ମହାନ୍ତି ଙ୍କ ନେତୃତ୍ୱରେ ନିମାପଡ଼ା କୁ ଉପଖଣ୍ଡ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଥିଲା ।ମାତ୍ର ରାଜ୍ୟ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଶ୍ରୀ ମହାନ୍ତି ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିଥିଲେ।ପିଆଇଏଲ କେସ ନମ୍ବର ୩୪୧୯୩/୨୦୨୨।ଗତ ଡିସେମ୍ବର ୭ ତାରିଖ ରେ ଏହି ମାମଲା ର ଶୁଣାଣି କରି ଆବଶ୍ୟକ ପଦକ୍ଷେପ ନେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲା ର ଶୁଣାଣି ସମୟରେ ପକ୍ଷ ରଖିବାକୁ ଆବେଦନକାରୀ ଙ୍କୁ ସୁଯୋଗ ଦେବାକୁ କହିଥିଲେ ।ଏହି କ୍ରମରେ ଗତ ଏପ୍ରିଲ ୨୪ ତାରିଖରେ ଲୋକସେବା ଭବନ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମାମଲାର ଶୁଣାଣି କରିଥିଲେ ।ଏଥିରେ ପକ୍ଷ ରଖି ଆବେଦନକାରୀ ଶ୍ରୀ ମହାନ୍ତି କହିଥିଲେ ଯେ ୧୯୭୬ ରେ ଗଠିତ ଜଷ୍ଟିସ ନବ କୁମାର ଦାସ କମିଶନ ତାଙ୍କ ପ୍ରସ୍ତାବ ରେ ପୁରୀ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ନିମାପଡ଼ା କୁ ରାଜସ୍ବ ସବ୍ ଡିଭିଜନ ର ମାନ୍ୟତା ଦେବାକୁ ସୁପାରିଶ କରିଥିଲେ ।ତେଣୁ ସ୍ଵତନ୍ତ୍ର ଭାବେ ନିମାପଡ଼ା କୁ ତୁରନ୍ତ ଉପଖଣ୍ଡର ମାନ୍ୟତା ପ୍ରଦାନ କରାଯାଉ ।ମାତ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୁଣାଣି ବେଳେ କହିଥିଲେ ଯେ ରାଜ୍ୟରେ ୬୪ ଟି ସ୍ଥାନକୁ ନୂଆ ଉପଖଣ୍ଡ ଘୋଷଣା କରାଯିବା ନେଇ ରାଜ୍ୟ ସରକାର ଙ୍କ ନିକଟରେ ମାମଲା ବିଚାରଧୀନ ରହିଛି ।ବର୍ତ୍ତମାନ ରାଜ୍ୟ ସରକାର ନୂତନ ଉପଖଣ୍ଡ ଘୋଷଣା କରିବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନେଇ ନାହାନ୍ତି ।ଯେଉଁ ସମୟରେ ଅନ୍ୟ ଉପଖଣ୍ଡ ଗୁଡ଼ିକର ନାଁ ଘୋଷଣା ହେବ ସେତେବେଳେ ପୁରୀ ଜିଲ୍ଲାର ନିମାପଡ଼ା କୁ ମଧ୍ୟ ଉପଖଣ୍ଡ ଘୋଷଣା କରାଯିବ ।ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନିମାପଡ଼ା ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି । ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀ ଶ୍ରୀ ମହାନ୍ତି କହିଛନ୍ତି ସରକାରଙ୍କ ଏହି ନିଷ୍ପତି ବିରୋଧରେ ଆସନ୍ତା ୨୮ ତାରିଖରେ କ୍ରିୟାନୁଷ୍ଠାନ କମିଟି ର ବୈଠକ ବସିବ ।ଏଥିରେ ଆନ୍ଦୋଳନକୁ କିପରି ପରିଚାଳନା କରାଯିବ ଓ ଆନ୍ଦୋଳନର ରୂପରେଖ କଣ ହେବ ତାହା ସ୍ଥିର କରାଯିବ ।ପ୍ରକାଶ ଥାଉ କି ୨୦୧୧ ଜନଗଣନା ଅନୁସାରେ ନିମାପଡ଼ା ରେ ୨ ଲକ୍ଷ ୮ ହଜାର ୧୩୯ ଜଣ ,ଗୋପ ରେ ୧ ଲକ୍ଷ ୨୧ ହଜାର ୬୬୫ ଜଣ, ଅସ୍ତରଙ୍ଗରେ ୬୭ ହଜାର ୭୪୮ ଜଣ ,ଓ କାକଟପୁର ରେ ୧ ଲକ୍ଷ ୫ ହଜାର ୨୫ ଜଣ ,କୋଣାର୍କ ରେ ୫୪ ହଜାର ୯୪୮ ଜଣ ,ରାମଚଣ୍ଡୀ ରେ ୨୦ ହଜାର ୫୩୧ ଜଣ ଏହିପରି ନିମାପଡ଼ା ଉପଖଣ୍ଡ ଅଞ୍ଚଳ ରେ ସମୁଦାୟ ୫ ଲକ୍ଷ ୭୫ ହଜାର ୬୦୭ ଜଣ ଜନସାଧାରଣ ବସବାସ କରୁଛନ୍ତି ।ନିମାପଡ଼ାକୁ ସବ୍ ଡିଭିଜନ ଘୋଷଣା କରାଗଲେ ନିମାପଡ଼ା , ଗୋପ ,ଅସ୍ତରଙ୍ଗ, କାକଟପୁର, କୋଣାର୍କ ,ରାମଚଣ୍ଡୀ ,ବଳଙ୍ଗା, ଚାରିଛକ ଥାନା ଅଂଚଳର ସାଧାରଣ ଜନତା ଅନେକ ସମସ୍ୟା ରୁ ବଞ୍ଚିତ ହୋଇ କାର୍ଯ୍ୟ କରିପାରିବେ ।ପୁରୀ ଜିଲ୍ଲାରେ ଗୋଟିଏ ସବ୍ ଡିଭିଜନ ଥିବାରୁ ସାଧାରଣ ଜନତା ଅନେକ ହଇରାଣ ହରକତ ହେଉଛନ୍ତି ।ରାଜ୍ୟରେ ୩୦ ଟି ଜିଲ୍ଲା ରହିଥିବା ବେଳେ ୬୦ ଟି ସବ୍ ଡିଭିଜନ ରହିବା କଥା ବର୍ତ୍ତମାନ ରାଜ୍ୟରେ ୫୮ ଟି ସବ୍ ଡିଭିଜନ ରହିଥିବାରୁ ଆଉ ଦୁଇଟି ହେବା ପାଇଁ ବାକି ରହିଛି ।ସେଥିରେ ନିମାପଡ଼ା ର ନାମ ମଧ୍ୟ ରହିଛି । ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ
ଦାବି ହେଉଛି।

Leave a Reply

Your email address will not be published. Required fields are marked *