ଦେଶ- ବିଦେଶ

ଓଡ଼ିଶାରେ ନିର୍ମାଣ ହେବ ସୁଖୋଇ ଇଞ୍ଜିନ୍‌

କୋରାପୁଟ: ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲି‌ମିଟେଡ୍‌ (ହାଲ୍‌) ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି। ଲଢ଼ୁଆ ବିମାନ ସୁଖୋଇ-୩୦ ଏମ୍‌କେଆଇ ନିମନ୍ତେ ଲଙ୍ଗ୍‌ ରେଞ୍ଜ ଇଞ୍ଜିନ ଏଏଲ-୩୧ ନିର୍ମାଣ କରିବ ବୋଲି ସୂଚନା ମିଳିଛି। ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ୨୪୦ଟି ଇଞ୍ଜିନ ଯୋଗାଇ ଦେବାକୁ ବାୟୁସେନା ସହ ଆଲୋଚନା ହୋଇଥିବା ଜଣାପଡ଼ିଛି। ଇଞ୍ଜିନକୁ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ କରାଯିବ। ନିକଟ ଅତୀତରେ ସୁଖୋଇ-୩୦ ଏମ୍‌କେଆଇ ବିମାନରେ ଅତ୍ୟାଧୁନିକ ଏଏଲ୍‌-୩୧ ଇଞ୍ଜିନ ଖଞ୍ଜିବା ନିମନ୍ତେ ବେଙ୍ଗାଲୁରୁଠାରେ ବାୟୁସେନା ଏବଂ ହାଲ୍‌ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ନୂଆ ଇଞ୍ଜିନ ୬ରୁ ୮ମାସ ମଧ୍ୟରେ ଯୋଗାଇ ଦେବାକୁ ହାଲ୍‌ ପ୍ରସ୍ତୁତ ରହିଥିବା ଅବଗତ କରାଇଥିଲା। ଫଳରେ, ଏହି ନୂଆ ଇଞ୍ଜିନକୁ ସୁନାବେଡ଼ା ହାଲ୍‌ରେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁନାବେଡ଼ା ହାଲ୍‌ ଡିଭିଜନର କିଛି ଅଭିଜ୍ଞ କର୍ମଚାରୀ ବର୍ତ୍ତମାନ ବେଙ୍ଗାଲୁରୁ ଡିଭିଜନରେ କାର୍ଯ୍ୟରତ ଅଛନ୍ତି। ସୁଖୋଇ-୩୦ ଲଢ଼ୁଆ ବିମାନର କିଛି ଅଂଶ ପୁନଃସଂସ୍ଥାପନ କାର୍ଯ୍ୟରେ ଯଥେଷ୍ଟ ଅଭିଜ୍ଞତା ରହିଥିବାରୁ ସେହି କର୍ମଚାରୀଙ୍କୁ ସୁନାବେଡ଼ା ସ୍ଥାନାନ୍ତର କରାଯିବ। ଇଞ୍ଜିନ ପ୍ରସ୍ତୁତ ହେବାପରେ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ସହ ତ୍ରୁଟିଶୂନ୍ୟ କରାଯିବ। ପ୍ରାଥମିକ ତଥ୍ୟ ଅନୁସାରେ, ୧୨.୫ ଟନ୍‌ ଓଜନ ବିଶିଷ୍ଟ ଏହି ଇଞ୍ଜିନ ପ୍ରତିକୂଳ ପରିସ୍ଥିତିରେ ବି ବିମାନକୁ ଅଧିକ ଦୂର ପର୍ଯ୍ୟନ୍ତ ଗତି ଦେଇପାରିବ।

ସୂଚନାଯୋଗ୍ୟ, ଯୁଦ୍ଧ ସହ ସୁରକ୍ଷାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ନିର୍ମିତ ସୁଖୋଇ ବିମାନ ଭାରତରେ ନିର୍ମାଣ କରିବାକୁ ୨୦୦୦ ମସିହାରେ ରୁଷ୍‌ ସରକାରଙ୍କ ସହ ଚୁକ୍ତି ହୋଇଥିଲା। ୨୦୦୪ ମସିହାରେ ବାୟୁସେନାରେ ସାମିଲ ହେବାପରେ ଦେଶର ବାୟୁସୀମାକୁ ସୁଖୋଇ ସୁରକ୍ଷା ଦେଇଆସୁଛି।

Leave a Reply

Your email address will not be published. Required fields are marked *