ମୁଖ୍ୟ ଖବର

ବର୍ଷେ ଭିତରେ ୩ ଗଣହତ୍ୟା

ବରଗଡ଼: ମାତ୍ର ବର୍ଷକ ମଧ୍ୟରେ ବରଗଡ଼ ଜିଲ୍ଲାରେ ତିନୋଟି ଲୋମହର୍ଷଣକାରୀ ଗଣହତ୍ୟା ଘଟିଛି। ଗତବର୍ଷ ଅକ୍ଟୋବର ୩୦ ତାରିଖ ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ ଗାଁର ଘଟିଥିବା ଗଣହତ୍ୟାରେ କନ୍ଧପଡ଼ାରେ ରହୁଥିବା ଶେଷଦେବ ମେହେର, ସ୍ତ୍ରୀ କ୍ଷିରେଶ୍ବରୀ, ପୁଅ ଅରବିନ୍ଦ ଓ ଝିଅ ଶିବାନୀଙ୍କ ମୃତ୍ୟୁ ଘଟିଥିଲା। ଏଯାଏ ଏହି ବଡ଼ ଘଟଣା ଉପରୁ ପରଦା ଉଠାଇ ପାରିନାହିଁ ପୁଲିସ। ଗତମାସ ୧୮ ତାରିଖ ସେହି ଭେଡ଼େନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ପୁଣି ଏକ ଗଣହତ୍ୟା ହୋଇଥିଲା। ବହୁଦିନର ଛାନ୍‌ଭିନ୍‌ ପରେ ପୁଲିସ୍‌ ଅଭିଯୁକ୍ତ ଅନାମ ସାହୁ ଓରଫ୍‌ ବାସୁଦେବକୁ ଚଳିତମାସ ୪ ତାରିଖ ଗିରଫ କରିଥିଲା। ଅନାମ ନିଜ ମାମୁ ୭୦ ବର୍ଷୀୟ ଟଙ୍କଧର ସାହୁ, ତାଙ୍କ ଦୁଇ ପତ୍ନୀ ଦ୍ରୌପଦୀ ଓ ମାଧବୀଙ୍କୁ ପିଢ଼ାରେ ପିଟି ହତ୍ୟା କରିଥିଲା। ସେହିଭଳି ଭଟଲି ଥାନା ଅର୍ନ୍ତଗତ ଝିକିଝିକି ଗାଁରେ ପୁଣି ଏକ ଜଘନ୍ୟ ଗଣହତ୍ୟା ଘଟଣା ଘଟିଛି।

ସାମାନ୍ୟ ପାଇଖାନା ପାଇଁ..
ଝିକିଝିକି ଗଣହତ୍ୟା ମାମଲା ଜମି ବିବାଦରୁ ଘଟିଥିବା ପୁଲିସ୍‌ ସ୍ପଷ୍ଟ କରିଛି। ଅଭିଯୁକ୍ତ ଶିବ ମଧ୍ୟ ଏହା ସ୍ବୀକାର କରିଛି। ଶିବର ପରିବାର ଏବଂ ପୁତୁରା ଗୁରୁଦେବଙ୍କ ପରିବାର ଗୋଟିଏ ଘରେ ରହୁଥିଲେ। ସେମାନଙ୍କ ପୈତୃକ ୩ ଏକର ଜମି ଥିଲା। ଯାହାର କିଛି ପଟ୍ଟା ହୋଇଥିଲା। ବାପା-କାକା ମୌଖିକ ଭାଗବଣ୍ଟାରୁ ଉଭୟଙ୍କ ଭାଗରେ ଅଧ ଏକର ଲେଖାଏଁ ଜମି ପଡ଼ିଥିଲା। କିନ୍ତୁ, ଶିବ ଓ ଗୁରୁଦେବଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଗୁରୁଦେବ ଘର ଭିତରେ ଗୋଟିଏ ପାଇଖାନା ତିଆରି କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ତିକ୍ତ ହୋଇ ଗଣହତ୍ୟା ପର୍ଯ୍ୟନ୍ତ କଥା ଯାଇଥିଲା।

ଶବ ସହ ୨୪ ଘଣ୍ଟା
ସୋମବାର ଦିନ ସାଢ଼େ ୧୧ଟା ବେଳେ ଶିବ ନିଜ ପୁତୁରାର ପୂରା ପରିବାରକୁ ଶେଷ ସଫା କରି ଦେଇଥିଲା। ମାତ୍ର, ଘଟଣା ସଂପର୍କରେ କାହାକୁ କିଛି କହି ନଥିଲା। ସ୍ତ୍ରୀ ପୋଖରୀରୁ ଗାଧୋଇ ଫେରିବା ପରେ ତାଙ୍କୁ ଘଟଣା ସଂପର୍କରେ ଜଣାଇଥିଲା। ତାଙ୍କ ବଡ଼ପୁଅ ନକୁଳ ବି ଘଟଣା ସମ୍ପର୍କରେ ଜାଣିଥିଲା। ସାନପୁଅ ଭୀମ ବଡ଼ଭଉଣୀର ଶାଶୂଘର ପଲସଦା ଯାଇଥିବାରୁ ସେ ଅନୁପସ୍ଥିତ ଥିଲା। ରାତିସାରା ବନ୍ଦ କୋଠରୀ ଭିତରେ ଶବ ପଡ଼ି ରହିଥିଲା ବେଳେ ଶିବଙ୍କ ପରିବାର ବି ଘରେ ଥିଲେ। ସକାଳ ୧୦ଟା ପରେ ହିଁ ପୁଲିସ୍‌ ପହଂଚିବା ପରେ ମାମଲା ଗ୍ରାମବାସୀଙ୍କ ନଜରକୁ ଆସିଥିଲା।

ହତ୍ୟାକାରୀଙ୍କ ପରିବାର ସ୍ବାଭାବିକ

ଝିକିଝିକି ଗଣହତ୍ୟାର ଅଭିଯୁକ୍ତ ଶିବ ୪ଜଣଙ୍କୁ ହତ୍ୟା କରି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ ହେଁ ତାଙ୍କ ପରିବାର ସଦସ୍ୟ ସ୍ବାଭାବିକ ଆଚରଣ ଦେଖାଉଛନ୍ତି। ଶିବଙ୍କ ସ୍ତ୍ରୀ ପାର୍ବତୀ ବି ସହଜ ଥି‌ଲେ। ଘର ବାରଣ୍ଡାରେ ଚୌକିରେ ବସି ସେ ଘଟଣାର ବିସ୍ତୃତ ବିବରଣୀ ଦେଇଥିଲେ। ତାଙ୍କ ସ୍ବାମୀ ହତ୍ୟାକାଣ୍ଡ ଭିଆଇଥିବା ସେ କହୁଥିଲେ। କିନ୍ତୁ, ଛୋଟପିଲାଙ୍କୁ ସେ (ସ୍ବାମୀ) ମାରିବାର ନଥିଲା ବୋଲି କହିଥିଲେ। ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ଗାଁରେ ଛାନ୍‌ଭିନ୍ ଚଳାଉଥିବାବେଳେ ଶିବର ବଡ଼ପୁଅ ନକୁଳ ସବୁଦିନ ପରି ଆଜି ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲା।

ଗାଁରେ ଚାଲିଥିଲା ଗୁରୁଦେବଙ୍କ ଦାଦାଗିରି!

ମୃତ ଗୁରୁଦେବଙ୍କ ଗାଁରେ ଦାଦାଗିରି ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ୍‌ ମଧ୍ୟ ଏନେଇ ସୁରାକ୍‌ ପାଇଛି। ଗ୍ରାମବାସୀଙ୍କୁ ଧମକଚମକ, ମାଡ୍‌ପିଟ୍‌ କରୁଥିଲେ ଗୁରୁଦେବ। ମହିଳାମାନେ ବି ଗୁରୁଦେବଙ୍କ ଆଚରଣରେ ଅତିଷ୍ଠ ଥିଲେ। କିନ୍ତୁ, କେହି ଗୁରୁଦେବକୁ ପ୍ରତିବାଦ କରିବାକୁ ସାହସ କରୁନଥିଲେ। ଏପରିକି ଘଟଣା ଦିନ ଗାଁର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସେ ଭୁଜାଲି ଦେଖାଇ ଶିବକୁ ଭୟଭୀତ କରିଥିଲେ। ଏହାପରେ ଗଣ୍ଡଗୋଳ ଓ ପରେ ଗଣହତ୍ୟ‌ା।

Leave a Reply

Your email address will not be published. Required fields are marked *