ଅପରାଧ

ଏମ୍‌ସରୁ ଟିକେଟ୍‌ କାଟି ୧୦ ହଜାରରେ ବିକୁଥିଲେ, ଧରିଲା ପୋଲିସ

ଭୁବନେଶ୍ୱର,: ଭୁବନେଶ୍ୱରସ୍ଥିତ ଏମ୍‌ସ ପରିସରରୁ ୨ ବଙ୍ଗୀୟ ଦଲାଲଙ୍କୁ କମିଶନରେଟ ପୋଲିସ ଶୁକ୍ରବାର କାବୁ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦନାପୁର ଅଞ୍ଚଳର ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ। ଉଭୟ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏମ୍‌ସ ପାଖରେ ଭଡ଼ା ନେଇ ରହୁଥିଲେ। ପ୍ରତିଦିନ ସକାଳେ ଏମ୍‌ସ ଟିକେଟ୍‌ କାଉଣ୍ଟରରେ ଛିଡ଼ା ହୋଇ ବିଭିନ୍ନ ବିଭାଗର ଟୋକନ କାଟନ୍ତି। ଆଉ ସେହି ଟୋକନକୁ ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କୁ ୨ ହଜାରରୁ ୧୦ ହଜାର ଟଙ୍କାରେ ବିକୁଛନ୍ତି। ଶୁକ୍ରବାର ଏହି ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଏହାଛଡ଼ା ମୋବାଇଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରି ଟୋକନ କାଟି ବିକ୍ରି କରୁଥିଲେ। ଏମ୍‌ସ ସୁରକ୍ଷାକର୍ମୀ ଏହା ଜାଣି କମିଶନରେଟ ପୋଲିସକୁ ଖବରଦେଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ ପୋଲିସ ଖଣ୍ଡଗିରି ଥାନା ଆଇଆଇସିଙ୍କ ନେନୃତ୍ୱରେ ଏକ ଟିମ୍‌ ଗଠନ କରିଥିଲା। ଉକ୍ତ ଟିମ୍‌ ସଦସ୍ୟମାନେ ସାଦା ପୋଷାକରେ ଏମ୍‌ସ ଟୋକନ କାଉଣ୍ଟର ଓ କ୍ୟାମ୍ପସରେ ଚକ୍କର କାଟୁଥିଲେ। ଅମିତ ଓ ଗୋପାଳ ନିୟମିତ ଟୋକନ କାଉଣ୍ଟରରେ ଛିଡ଼ା ହେଉଥିବା ପୋଲିସ ନଜରକୁ ଆସିଥିଲେ। ପରେ ପୋଲିସ ସେମାନଙ୍କ ମୋବାଇଲ ନମ୍ବର ହାତେଇ ସିଡିଆର୍‌ ରେକର୍ଡ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେମାନଙ୍କ ଲୋକେଶନ ସବୁବେଳେ ଏମ୍‌ସ କ୍ୟାମ୍ପସ ଭିତରେ ଥିବା ଦେଖିବାକୁ ମିଳିଥିଲା। ପରେ ତାଙ୍କୁ କାବୁ କରାଯାଇଥିଲା।

Leave a Reply

Your email address will not be published. Required fields are marked *