ମୁଖ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର/ବାଲେଶ୍ବର/ବାଲୁଗାଁ : ରାଜଧାନୀ ସମେତ ପୁରୀ, ଚିଲିକା, ବାଲେଶ୍ବର ଆଦି ସ୍ଥାନରେ ଏକାଧିକ ପ୍ଲଟ୍‌। କେଉଁଠି ୩ ମହଲା ବିଳାସପୂର୍ଣ୍ଣ ଘର ତ କେଉଁଠି ଫ୍ଲାଟ୍‌। ତା’ ସାଙ୍ଗକୁ ପୁଳାପୁଳା ସୁନାଗହଣା ଏବଂ ବ୍ୟାଙ୍କ ଆକାଉଣ୍ଟ, ବୀମା ଓ ଅନ୍ୟାନ୍ୟ ବଣ୍ଡ୍‌କୁ ମିଶାଇ କୋଟିଏରୁ ଊର୍ଦ୍ଧ୍ବ ଜମା। ଏଭଳି ଜଣେ କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଧରିଛି। ସେ ହେଲେ, ବାଲେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ୍‌-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେନାପତି। ଗୁରୁବାର ଦିନ ରାଜ୍ୟ ଭିଜିଲାନ୍ସର ୭ଟି ଟିମ୍‌ ଏକକାଳୀନ ଭାବେ ଶ୍ରୀ ସେନାପତିଙ୍କ ବାଲେଶ୍ବର ଜିଲ୍ଲା ମଲ୍ଲିକାଶପୁରସ୍ଥିତ ଭଡ଼ାଘର ସହ ସରକାରୀ କାର୍ଯ୍ୟାଳୟ, ପୁରୀ ଓ ଖୋର୍ଦ୍ଧାସ୍ଥିତ ପୈତୃକ ସଂପତ୍ତି ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଶେଷ ଖବର ଲେଖା ହେବା ବେଳକୁ ଭିଜିଲାନ୍ସ ତାଙ୍କର ୩ କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ବାଲେଶ୍ୱର ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀଙ୍କ ମୁଖ୍ୟ ସୂଚନା ମୁତାବକ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ସେନାପତିଙ୍କ ପୈତୃକ ବାସଭବନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କୁଲାକୁଣ୍ଢେଇସ୍ଥିତ ଘର, ବାଣପୁର ଭଗବତୀସାହି ଘର, ଟାଙ୍ଗିସ୍ଥିତ ଶ୍ବଶୁର ଘର, ପୁରୀ ହରଚଣ୍ଡୀ ସାହି ବାସଭବନ ଓ ପୁରୀ ‘ଅନନ୍ୟା ପାମ୍‌ ବିଚ୍‌ ଫ୍ଲାଟ୍‌ରେ ଚଢ଼ଉ ହୋଇଥିଲା। ପୁରୀ ହରଚଣ୍ଡି ସାହିରେ ଶ୍ରୀ ସେନାପତିଙ୍କ ତିନିମହଲା ବିଶିଷ୍ଟ ଗୋଟିଏ କୋଠାଘର ଥିବା ବେଳେ କୁଲାକୁଣ୍ଢେଇରେ ଦୁଇ ମହଲା କୋଠା, ପୁରୀ ‘ଅନନ୍ୟା ପାମ୍‌ ବିଚ୍‌ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ୍‌, ଭୁବନେଶ୍ୱର, ପୁରୀ, ଚିଲିକା ଓ ଏହାର ଆଖପାଖରେ ୧୧ଟି ବାସପୋଯୋଗୀ ପ୍ଲଟ୍ ଠାବ କରାଯାଇଛି। ସେହିପରି ୩୨୩ ଗ୍ରାମ ଓଜନର ସୁନାଗହଣା, ନଗଦ ୧ଲକ୍ଷ ୨୨ହଜାର ୫ଶହ ଟଙ୍କା, କୋଟିଏ ୯ଲକ୍ଷ ଟଙ୍କାର ବ୍ୟାଙ୍କ, ଡାକ ଓ ବୀମା ଜମା, ସାଢ଼େ ୧୧ଲକ୍ଷର ଗୋଟିଏ ଟାଟା ନେକ୍ସନ୍‌ ଗାଡ଼ି, ୩ଟି ଦୁଇଚକିଆ ଗାଡ଼ି, ୨ଟି ମୋବାଇଲ୍‌, ଲାପଟପ୍‌ ଓ ଜରୁରୀ କାଗଜପତ୍ର ଜବତ କରାଯାଇଛି। ରାଜ୍ୟ ଭିଜିଲାନ୍ସର ୪ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୧୦ଜଣ ଇନ୍‌ସପେକ୍ଟର, ୨ଜଣ ସବ୍‌ଇନ୍‌ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *