ମୁଖ୍ୟ ଖବର

ନୀତି ଆୟୋଗ ବୈଠକରେ ଯୋଗଦେଲେ ନାହିଁ ୧୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଆଜି ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ୧୯ ଟି ରାଜ୍ୟ ଏବଂ ୬ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ / ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନେ ଯୋଗ ଦେଇଥିଲେ ।ତେବେ ଏହି ବୈଠକରେ ଆଜି ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନଥିଲେ | ଆଜିର ବୈଠକରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌,ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍,କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ପ୍ରମୁଖ ଯୋଗ ଦେଇନଥିଲେ |ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ବିକଶିତ ଭାରତ @ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ଉଚିତ । ସେ କହିଛନ୍ତି ଯେ ପରବର୍ତ୍ତୀ ୨୫ବର୍ଷ ପାଇଁ ଜାତୀୟ ବିକାଶ ଏଜେଣ୍ଡା ସହିତ ସମାନ୍ତରାଳ ଭାବେ ରଣନୀତି ପ୍ରସ୍ତୁତ କରିବାରେ ନୀତି ଆୟୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ନୀତି ଆୟୋଗ ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ଦେଶ ଅମୃତ କାଳର ଦୃଷ୍ଟିଭଙ୍ଗୀ ହାସଲ କରିବା ଦିଗରେ ବଡ ଲମ୍ଫ ଦେଇପାରିବ । ସେହିପରି ନୀତି ଆୟୋଗ ସିଇଓ ବି.ଭି.ଆର ସୁବ୍ରମଣ୍ୟମ କହିଥିଲେ ଯେ ଆଜି ବୈଠକରେ ସ୍ୱାସ୍ଥ୍ୟ, ଏମଏସଏମଇ, ମହିଳା ସଶକ୍ତିକରଣ, ଭିତ୍ତିଭୂମି ଏବଂ ପିଏମ ଗତିଶକ୍ତି ଉପରେ ଆଲୋଚନା କରାଯାଇଛି।

Leave a Reply

Your email address will not be published. Required fields are marked *