ରାଜ୍ୟ

କୁଶଭଦ୍ରା ନଦୀ ଖନନ ପାଇଁ ଦାବି


ନିମାପଡ଼ା : ଜଳବିବାଦ ର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ର ୩୨ ଜଣିଆ ଦଳ ଦୁଇ ଦିନିଆ ଓଡିଶା ଗ୍ରସ୍ତ ରେ ଆସିଥିଲେ ।ମହାନଦୀ ଟ୍ରିବ୍ୟୁନାଲ ର ସଦସ୍ୟ ମାନେ ମହାନଦୀର ତ୍ରିକୋଣଭୂମି ଅଞ୍ଚଳରେ ଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଓ ବ୍ରହ୍ମଗିରି ବ୍ଲକ ରେ ଚିଲିକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଦୟା ଓ ଭାର୍ଗବୀ ର ବିଭାଜନ ସ୍ଥଳୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।ପରେ ରାମଚଣ୍ଡୀ ଠାରେ ପହଞ୍ଚି କୁଶଭଦ୍ରା ନଦୀର ସଙ୍ଗମ ସ୍ଥଳର ସ୍ଥିତି ଅନୁଧ୍ୟାନ କରିଥିଲେ ।କିଭଳି କୁଶଭଦ୍ରା ଜଳ ସମୁଦ୍ରରେ ମିଶୁଛି ତାର ସବିଶେଷ ଅନୁଧ୍ୟାନ କରିଥିଲେ ।ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ନଦୀ କୁଶଭଦ୍ରା ବି ମୃତ୍ୟୁ ମୁଖରେ ପଡ଼ିଛି । ନଦୀ ପୋତି ହୋଇ ପଡ଼ିବାରୁ ଆଗଭଳି ଆଉ ଜଳ ଧାରଣ କ୍ଷମତା ନାହିଁ ।ଶ୍ରାବଣ ମାସ ଆସିଲେ ଜିଲ୍ଳାର ଗୋପ ଓ ନିମାପଡ଼ା ଅଞ୍ଚଳକୁ କୁଶଭଦ୍ରା ନଦୀ ବନ୍ୟା ଜଳ ଉବୁଟୁବୁ କରୁଛି ,କିନ୍ତୁ ବାକି ଦଶ ମାସ ଶୁଖିଲା ପଡୁଛି ।ଭୂତଳ ଜଳସ୍ତର ବି ହ୍ରାସ ପାଇବାରେ ଲାଗିଛି ।ମହାନଦୀର ଶାଖା ନଦୀ ହେଉଛି କୁଶଭଦ୍ରା ।ଏହା କୁଆଖାଇ ଠାରୁ ଗୋଟିଏ ପାର୍ଶ୍ୱରେଭାର୍ଗବୀ ,ଦୟାନଦୀ ନାମରେ ପୁରୀ ଜିଲ୍ଲାକୁ ପ୍ରବେଶ କରିଛି ।ଅନ୍ୟ ପାର୍ଶ୍ବରେ କୁଶଭଦ୍ରା ନାମରେ ଜିଲ୍ଲାରେ ପ୍ରବେଶ କରିଛି ।କୁଶଭଦ୍ରା ଖୋର୍ଦ୍ଧା ଜିଲ୍ଲା ର ବାଲିଅନ୍ତା ଠାରୁ ଅଲଗା ହୋଇ ନିମାପଡ଼ା ଗୋପ ଦେଇ ରାମଚଣ୍ଡୀ ମୁହାଁଣରେ ମିଶିଛି ।ଏହାର ଲମ୍ବ ପ୍ରାୟ ୮୦ କିଲୋମିଟର ।ନିମାପଡ଼ା ର ବାମପନ୍ଥୀ ନେତା କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି ଯେ, ୧୯୮୨ ରେ ଏକ ବଡ଼ ବନ୍ୟା ଆସି ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।ସେ ସମୟରେ ବାଲିଅନ୍ତା ନିକଟରେ କୁଆଖାଇରୁ କୁଶଭଦ୍ରା କୁ ଜଳପ୍ରବାହ ବାଟରେ ବଡ଼ ବଡ଼ ମାଟି ଅତଡ଼ା ଖସି ଥିଲା ।ଯାହା ଜଳପଥ ର ଗତିରୋଧ କରିଥିଲା ।ଏବେ ବି ସେହି ସ୍ଥିତି ଲାଗି ରହିଛି ।ବାଲିଅନ୍ତା ନିକଟରେ ଜଳପଥ ପୋତି ହେବାରୁ କୁଆଖାଇ ର ଜଳପତ୍ତନ ପ୍ରାୟ ୩୩ ରୁ ୩୫ ଫୁଟ ନ ହେଲେ ପାଣି ଆସୁନି ।ଗୋପ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ଧନୁଆ ନଦୀର ଆନ୍ଦୋଳନ ପ୍ରମୁଖ ନେତା ବନ ରଞ୍ଜନ ପଟ୍ଟନାୟକ କହିଛନ୍ତି ,ବାଲିଅନ୍ତା ରୁ ଗୋପ ପର୍ଯ୍ୟନ୍ତ କୁଶଭଦ୍ରା ଶୁଖିଲା ପଡ଼ିଛି ।କେବଳ ସମୁଦ୍ର ଜୁଆର ପ୍ରଭାବ ରୁ ରାମଚଣ୍ଡୀ ମୁହାଣ ଅଞ୍ଚଳରେ କିଛି ବାଟ ନଦୀରେ ଜଳ ରହିଛି । କିନ୍ତୁ ଲୁଣାପାଣି ଯୋଗୁଁ ଏହା ଚାଷ ଉପଯୋଗୀ ହୋଇ ପାରୁନାହିଁ।ଗୋପ ଅଞ୍ଚଳର ଚାଷୀ ଗଙ୍ଗାଧର ପାଇକରାୟ କହିଛନ୍ତି ,ଦଶ ବର୍ଷ ତଳେ କୁଶଭଦ୍ରା ରେ ଯେଉଁ ଭଳି ପାଣି ଆସୁଥିଲା ଏବେ ଆଉ ଆସୁନି ।ପୂର୍ବରୁ ଚାଷ ବାସ ଭଲ ହେଉଥିଲା, ଏବେ ଚାଷ ବାସ ଉଜୁଡ଼ି ଗଲାଣି ।କେବଳ ବର୍ଷା ଜଳ ଉପରେ ଚାଷୀ ନିର୍ଭର କରୁଛନ୍ତି ।ଏଥିପାଇଁ କୁଶଭଦ୍ରା ନଦୀ ଶଯ୍ୟା ଖନନ କରିବାକୁ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧି ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *