ମେ’ରେ ୧ ଲକ୍ଷ ୫୭ ହଜାର କୋଟିର ଜିଏସଟି ସଂଗ୍ରହ
ନୂଆଦିଲ୍ଲୀ: ମେ ୨୦୨୩ରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୫୭ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମେ ୨୦୨୨ ତୁଳନାରେ ୧୨ ପ୍ରତିଶତ ଅଧିକ । କିନ୍ତୁ ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୮୭ ହଜାର କୋଟିର ଜିଏସଟି ସଂଗ୍ରହ ତୁଳନାରେ ଏହା ୧୭ ପ୍ରତିଶତ କମ । ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଏହି ତଥ୍ୟ ଜାରି କରିଛି ।
ମେ ମାସରେ ମୋଟ ଜିଏସଟି ଆଦାୟ ମଧ୍ୟରେ ୨୮,୪୧୧ କୋଟି ଟଙ୍କାର ସିଜିଏସଟି, ୩୫୮୨୮ କୋଟି ଟଙ୍କାର ଏସଜିଏସଟି ଏବଂ ରେକର୍ଡ ୮୧୩୬୩ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଉପରେ ଆମଦାନୀରୁ ଆଦାୟ ହୋଇଥିବା ୪୧,୭୭୨ କୋଟି ଟଙ୍କା କୁ ମିଶାଇ) ଅନ୍ତର୍ଭୁକ୍ତ । ଏଥିରେ ୧୧,୪୮୯ କୋଟି ଟଙ୍କା ସେସ୍ ଅନ୍ତର୍ଭୁକ୍ତ, ଯେଉଁଥିରୁ ୧୦୫୭ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ଆସିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ ମେ ମାସରେ ଓଡ଼ିଶାରେ ୪୩୯୮ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି, ଯାହାକି ମେ ୨୦୨୨ରେ ୩୯୫୬ କୋଟି ଟଙ୍କା ଥିଲା । ଏଣୁ ଗତ ଆର୍ଥିକ ବର୍ଷର ମେ ମାସ ତୁଳନାରେ ମେ ୨୦୨୩ରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୧ ପ୍ରତିଶତ ବୃଦ୍ଧି ପାଇଛି ।
କରୋନା ମହାମାରୀ ସମୟରେ ଦେଶରେ ଜିଏସଟି ଆଦାୟ ଗୁରୁତରଭାବେ ହ୍ରାସ ପାଇଥିଲା । କିନ୍ତୁ ମହାମାରୀ ହଟିବା ପରେ ଦେଶର ଜିଏସଟି ଆଦାୟ ନିୟମିତଭାବେ ବଢିଚାଲିଛି ।