ଧର୍ମ

ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ପାଳିତ

ବାଣପୁର :- ତୁମୁରାପୁଟ ଗ୍ରାମପଞ୍ଚାୟତ ଅଧିନସ୍ଥ ପ୍ରତାପ ଗ୍ରାମରେ ନୂତନ ଭାବେ ଦୀର୍ଘ ଆଠ ବର୍ଷ ଧରି ନିର୍ମାଣଧୀନ ଶ୍ରୀ ଶ୍ରୀ ବାବା ପ୍ରତାପଶ୍ୱର ଦେବଙ୍କ ହୋଇଯାଇଛି l ଉକ୍ତ ପ୍ରତିଷ୍ଠା ଉତ୍ସବ ଗତ ଶନିବାର ଠାରୁ ଆରମ୍ଭ ହୋଇ ଗୁରୁବାର ଯଂଜ୍ଞାହୂତି ଏବଂ ବିଗ୍ରହ ସ୍ଥାପନ ପରେ ସମାପନ କରାଯାଇଛି l ଶନିବାର ଅଙ୍କୁରରୋପଣ, ରବିବାର କଳସ ଯାତ୍ରା ଓ ବ୍ରାହ୍ମଣ ଦେବତାବରଣ ପରେ ଯଂଜ୍ଞ ଆରମ୍ଭ କରାଯାଇଥିଲା lସୋମବାର ସୂର୍ଯ୍ୟପୂଜା,ଚଣ୍ଡୀପାଠ, ଅଭିଷେକ ପରେ ଯଂଜ୍ଞାହୂତିର ପ୍ରାରମ୍ଭ ହୋଇଥିଲା l ବୁଧବାର ଦେବଦେବୀ ପୂଜା ନୂତନ ବିଗ୍ରହଙ୍କ ମହାସ୍ନାନ ଓ ଶୟନ କାର୍ଯ୍ୟ ସମାପନ କରାଯାଇଥିଲା l ଗୁରୁବାର ଅନ୍ତିମ ଦିବସରେ ସୂର୍ଯ୍ୟପୂଜା ଦେବତା ମାନଙ୍କ ମନ୍ଦିର ପରିକ୍ରମା, ମନ୍ଦିରରେ ତ୍ରିଶୂଳ ଓ ଧୂଜା ସ୍ଥାପନ, ବିଗ୍ରହ ମାନଙ୍କ ଆସନ ବିରାଜମାନ ସହ ଯଂଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା l ମନ୍ଦିର ପ୍ରତିଷ୍ଠା ଉତ୍ସବ ପୁରୋହିତ ଭାବରେ ପୁରୀ ମୁକ୍ତିମଣ୍ଡପର ବ୍ରାହ୍ମଣ ସୁଦର୍ଶନ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ସମାପନ ହୋଇଥିଲା l ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାରେ ବୀରଭଦ୍ର ସ୍ୱାଇଁ ଏବଂ ତାଙ୍କର ସହଧର୍ମିଣୀ ଯଂଜ୍ଞ କର୍ତ୍ତା ଭାବରେ ଉପବିଶନ ହୋଇଥିଲେ l ପ୍ରତାପ ଗ୍ରାମବାସୀଙ୍କ ଦୀର୍ଘଦିନର ଆଶା ଆକାଂକ୍ଷା ମନ୍ଦିର ପ୍ରତିଷ୍ଠା ପରେ ପୂର୍ଣ୍ଣ ହୋଇଛି ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଥିଲେ l ଦୀର୍ଘ ଆଠବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମ ଓ ଅର୍ଥ ଦାନରେ ଏହିଭଳି ଏକ ବିରାଟ ମନ୍ଦିର ନିର୍ମାଣ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇଦେଇଛି l ମନ୍ଦିର ପ୍ରତିଷ୍ଠାରେ ଆବାଳବୃଦ୍ଧ ସମସ୍ତଙ୍କର ସହଯୋଗରେ ହୋଇଛି ବୋଲି ଗ୍ରାମବାସୀ କୁହନ୍ତି l ମନ୍ଦିର ନିର୍ମାଣରେ ପ୍ରାୟ ପାଞ୍ଚକୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଆକଳନ କରାଯାଇଛି l ଉକ୍ତ ଅଞ୍ଚଳରେ ଏହିଭଳି ଏକ ମନ୍ଦିର ନିର୍ମାଣକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେବାସହ ସମସ୍ତ ରାଜନୈତକ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ l ଗୁରୁବାର ପୂର୍ଣ୍ଣାହୁତି ଏବଂ ବିଗ୍ରହ ସ୍ଥାପନ ଦିବସରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରତାପ ଗ୍ରାମବାସୀଙ୍କ ଦ୍ୱାରା ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା କରାଯାଇଥିଲା l

Leave a Reply

Your email address will not be published. Required fields are marked *