ରାଜନୀତି

ମୟୂରଭଞ୍ଜରେ ଖାତା ଖୋଲି ପାରିବନି ବିଜେଡି: ବିଶ୍ବେଶ୍ବର

ବାରିପଦା: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ସତ୍ତା ରହିବନି। ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେବେ ଓ ଦଳ ନିରଙ୍କୁଶ ସରକାର ଗଠନ କରିବ। ମୟୂରଭଞ୍ଜରେ ବିଜେଡି ଖାତା ଖୋଲି ପାରିବନି ବୋଲି ଆଜି ଗଣମାଧ୍ୟମ ଆଗରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ। କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଆଜିଠାରୁ ମୟୂରଭଞ୍ଜରେ ମହାଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିବା ଅବସରରେ ରାଜ୍ୟ ସରକାରଙ୍କୁ ଶାଣିତ ଢଙ୍ଗରେ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଏଭଳି ମନ୍ତବ୍ୟ ରଖିଛନ୍ତି।

କେନ୍ଦ୍ରର ଯୋଜନାକୁ ନିଜର ବୋଲି କହି ଲୋକଙ୍କୁ ଭୂଆଁ ବୁଲାଇ ୨୦୨୪ରେ ଭୋଟ୍‌ ହାତେଇବାକୁ ଯୋଜନା କରୁଛି ବିଜେଡି। ହେଲେ ଏହି ରଣନୀତି ଆଉ ସଫଳ ହେବନାହିଁ। ବିଜେପି ଘରକୁ ଘର ବୁଲିବ, ରାଜ୍ୟ ସରକାରଙ୍କ ବିଫଳତା ତଥା କେନ୍ଦ୍ରର ଜନହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ। ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ଗାଦିଚ୍ୟୁତ କରି ବିଜେପିକୁ ସୁଯୋଗ ଦେବା ଲାଗି ରାଜ୍ୟବାସୀ ମନସ୍ଥ କରି ସାରିଲେଣି। ୨୦୧୯ରେ ମୟୂରଭଞ୍ଜ ଲୋକସଭା ଓ ୯ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ ବିଜେପି ଜିତିଥିଲା। ୨୦୨୪ରେ ସବୁ ଆସନ ପୋଛି ନେବ ବୋଲି କହିଥିଲେ ଶ୍ରୀ ଟୁଡୁ।

ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମ‌ଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ, ରାଜ୍ୟ ସହରାଞ୍ଚଳ କମିଟି ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ଛୋଟଲାଲ ମହାନ୍ତ, କବିବିଷ୍ଣୁ ଶତପଥୀ, ପୁରୁଷୋତ୍ତମ ନାଏକ, ସୁଜାତା ମୁର୍ମୁ, ସୁମନ ସିଂ, କୌଶଲ୍ୟ‌ା ନାଏକ, ଲକ୍ଷ୍ମୀଧର ହାବଡ଼ା, ପ୍ରଦୀପ କୁମାର ମହାନ୍ତି, ନିରଞ୍ଜନ ଦାସ, ପ୍ରବୀଣ କୁମାର ପାତ୍ର, ବଳରାମ ସାହୁ, ସରୋଜିନୀ କିସ୍କୁ, ଶୋଭାବତୀ ଓତା, କାଳୀଚରଣ ନାଏକ, ଫାଗୁ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *