ମୁଖ୍ୟ ଖବର

ଦୁର୍ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାହାନଗା: ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଘଟଣାସ୍ଥଳରେ ପହଞ୍ଚି ସେ  ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ, ଗୁରୁତରଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟ ସହ ସେମାନଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତରକୁ  ସର୍ବାଧିକ ଗୁରୁତ୍ବ ଦିଆଯାଉଛି।  ଉଦ୍ଧାର କାର୍ଯ୍ୟ ଓ ଗୁରୁତର ତଥା ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ଏ ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହା ଏକ ବଡ଼ ରେଳ ଦୁର୍ଘଟଣା। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଗତକାଲି କ୍ଷତିପୂରଣ ଘୋଷଣା କରାଯାଇଥିଲା। ଦୁର୍ଘଟଣାର କାରଣ ଅବଗତ ହେବା ଲାଗି ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାେରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯାୁତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ‌ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୫୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଡାଉନ୍ ଲାଇନ୍‌ରେ ବାଙ୍ଗାଲୁରୁରୁ ହାୱଡ଼ା ଯାଉଥିବା ଯଶୋବନ୍ତପୁର-ହାୱଡା ସୁପରଫାଷ୍ଟ ଟ୍ରେନ୍ (ନଂ ୧୨୮୬୪)ର ୨ଟି ବଗି ବାହାନଗା ଷ୍ଟେସନ୍‌ ଉତ୍ତର କ୍ୟାବିନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ସମୟରେ ଅପ୍‌ ଲାଇନରେ ଆସୁଥିବା ଶାଲିମାର
ହାୱାଡା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସ‌ପ୍ରେସ (ଟ୍ରେନ ନଂ ୧୨୮୪୧) ସହ ଧକ୍କା ହୋଇ ତା’ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ କରମଣ୍ଡଳ ଟ୍ରେନ୍‌ର ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ୧୪ରୁ ଅଧିକ ବଗି ଲାଇନ୍‌ରୁ ଖସି ପାଖ ଟ୍ରାକ୍‌ରେ ଥିବା ଯଶୋବନ୍ତପୁର ଟ୍ରେନ୍ ବଗି ଉପରେ ଚଢ଼ିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡାଉନ୍ ଲାଇନ୍‌ରେ କୋଲାକାତା ଯାଉଥିବା ହାୱାଡା-ଯଶୋବନ୍ତପୁର ସୁପରଫାଷ୍ଟର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇ ପାଖ ଟ୍ରାକକୁ ଖସି ଯାଇଥିଲା। ଯୋଉ ଟ୍ରାକ୍‌ରେ ଆସୁଥିଲା କରମଣ୍ଡଳ। ସେତେବେଳକୁ ଟ୍ରେନର ବେଗ ଘଣ୍ଟା ପ୍ରତି ପାଖାପାଖି ୮୦ ଉପରେ ଥିବା କୁହାଯାଉଛି। କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ ଦ୍ରୁତଗାମୀ କରମଣ୍ଡଳ ଟ୍ରାକ୍‌ରୁ ଖସି ଯାଇଥିବା ହାୱାଡା-ଯଶୋବନ୍ତପୁର ବଗିକୁ ଧକ୍କା ଦେଇ ଅନ୍ୟ ଟ୍ରାକ୍‌ରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ଉପରେ ଚଢ଼ିଯାଇଥିଲା। ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା ହେବା ପରେ କରମଣ୍ଡଳ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା। ଇଞ୍ଜିନ୍‌ ସହିତ ଜେନେରାଲ ଓ ଏସି ବଗି ଓଲଟି ପଡ଼ିବା ସହ ବଗି ଉପରେ ବଗି ଚଢ଼ି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବଗିରେ ଅନେକଙ୍କର ହାତଗୋଡ଼, ମୁଣ୍ଡ ଛିଣ୍ଡି ପଡ଼ିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ଅନ୍ଧାର ରାତି ଓ ଅଧା କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରୁ ବିନା ଅତ୍ୟାଧୁନିକ ଉପକରଣ ସହାୟତାରେ ଉଦ୍ଧାର କରିବା ଏତେଟା ସହଜସାଧ୍ୟ ନଥିଲା। ତଥାପି କିଛି ଯାତ୍ରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଉଦ୍ଧାର କରି ଡାକ୍ତରଖାନା ନେବା ସହ ପ୍ରଶାସନକୁ ଖବର ଦେଇଥିଲେ। ପରେ ୧୦୦ଟି ଆମ୍ବୁଲାନ୍ସ ଓ ୫୦ଟି ବସ୍ ଯୋଗେ ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ କିଛି ଯାତ୍ରୀଙ୍କୁ କଟକ ବଡ଼ଡାକ୍ତରଖାନା ନିଆଯାଇଥିବା ବେଳେ ଭୁବନେଶ୍ବର ଏମ୍‌ସକୁ ମଧ୍ୟ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ମୃତାହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେବା ପରେ ଘଟଣାସ୍ଥଳରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବତନ୍ତ୍ର ରିଲିଫ୍‌ କମିସନର ସତ୍ୟବ୍ରତ ସାହୁ, ଅଗ୍ନିଶମ ବିଭାଗର ଡିଜି ଡ.ସୁଧାଂଶୁ ଷଡ଼ଙ୍ଗୀ, ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂହ, ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଦେ, ଏସ୍‌ପି ସାଗରିକା ନାଥ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସିଡିଏମ୍‌ଓ ଦୁଲାଲସେନ୍ ଜଗଦ୍ଦେବ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବନ୍ଦର, ଏସ୍‌ପି ବରୁଣ ଗୁଣ୍ଠୁପାଲି, ଭଦ୍ରକ ସିଡିଏମ୍‌ଓ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମେତ ୫୦ରୁ ଅଧିକ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଆହତ ଯାତ୍ରୀମାନଙ୍କୁ ଆଶୁ ଚିକିତ୍ସା ଯୋଗାଇବା ଲାଗି କଟକ ଏସ୍‌ସିବି, ବାଲେଶ୍ବର ମେଡିକାଲ କଲେଜ, ଭଦ୍ରକ ଓ ଯାଜପୁର ଡାକ୍ତରଖାନା ସମେତ ଆଖପାଖ ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଲେଖାଯିବା ବେଳକୁ କଟକ ଏସସିବିରୁ ୩୦ ଜଣିଆ ବିଶେଷଜ୍ଞ ଟିମ୍‌ ବାଲେଶ୍ବରରେ ଆସି ପହଞ୍ଚିଛନ୍ତି। ବାଲେଶ୍ବର ମେଡିକାଲ କଲେଜ ହାସପାତାଳରେ ୨୦୦ରୁ ଅଧିକ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସୋର ଡାକ୍ତରଖାନା ଓ ଭଦ୍ରକ ଡାକ୍ତରଖାନାରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *