ଦେଶ- ବିଦେଶ

ରେଳ ଦୁର୍ଘଟଣା: ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାହାନଗା: ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚୁଥିବାର ପରିଲକ୍ଷିତ ହେଉଛି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ହେଲେ ଏବେ ସେଠାରେ ମୃତଦେହ ଚିହ୍ନଟ କରିବା ସହଜସାଧ୍ୟ ହେଉ ନଥିବା ହେତୁ ଏହି ପ୍ରକ୍ରିୟା ବିଳମ୍ବିତ ହେବ ବୋଲି କୁହାଯାଉଛି। ଏଯାବତ ଆଧିକାରୀକ ଭାବେ ମୃତ୍ୟୁସଂଖ୍ୟା ୨୩୩ ବୋଲି ସୂଚନା ଦିଆଯାଇଥିଲେ ହେଁ ସ୍ଥାନୀୟ ସୂତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ଏଯାବତ୍ ୨୪୦ ଟପି ଯାଇଥିବା ଜଣାପଡ଼ିଛି। କାରଣ ଘଟଣାସ୍ଥଳରେ ବିଛାଡ଼ି ହୋଇପଡ଼ିଥିବା ଅନେକ ବଗି ତଳେ ଯାତ୍ରୀ ଚାପି ହୋଇରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାେରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯାୁତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ‌ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୫୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।ମୃତାହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେବା ପରେ ଘଟଣାସ୍ଥଳରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବତନ୍ତ୍ର ରିଲିଫ୍‌ କମିସନର ସତ୍ୟବ୍ରତ ସାହୁ, ଅଗ୍ନିଶମ ବିଭାଗର ଡିଜି ଡ.ସୁଧାଂଶୁ ଷଡ଼ଙ୍ଗୀ, ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂହ, ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଦେ, ଏସ୍‌ପି ସାଗରିକା ନାଥ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସିଡିଏମ୍‌ଓ ଦୁଲାଲସେନ୍ ଜଗଦ୍ଦେବ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବନ୍ଦର, ଏସ୍‌ପି ବରୁଣ ଗୁଣ୍ଠୁପାଲି, ଭଦ୍ରକ ସିଡିଏମ୍‌ଓ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମେତ ୫୦ରୁ ଅଧିକ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଆହତ ଯାତ୍ରୀମାନଙ୍କୁ ଆଶୁ ଚିକିତ୍ସା ଯୋଗାଇବା ଲାଗି କଟକ ଏସ୍‌ସିବି, ବାଲେଶ୍ବର ମେଡିକାଲ କଲେଜ, ଭଦ୍ରକ ଓ ଯାଜପୁର ଡାକ୍ତରଖାନା ସମେତ ଆଖପାଖ ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଲେଖାଯିବା ବେଳକୁ କଟକ ଏସସିବିରୁ ୩୦ ଜଣିଆ ବିଶେଷଜ୍ଞ ଟିମ୍‌ ବାଲେଶ୍ବରରେ ଆସି ପହଞ୍ଚିଛନ୍ତି। ବାଲେଶ୍ବର ମେଡିକାଲ କଲେଜ ହାସପାତାଳରେ ୨୦୦ରୁ ଅଧିକ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସୋର ଡାକ୍ତରଖାନା ଓ ଭଦ୍ରକ ଡାକ୍ତରଖାନାରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *