ପ୍ୟାଲେସ୍ ଯିବି,ମୋତେ ସୁରକ୍ଷା ଦିଅ
କଳାହାଣ୍ଡି : ବଲାଙ୍ଗୀର ରାଜପରିବାର ସଦସ୍ୟ ତଥା ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ତାଙ୍କ ସ୍ତ୍ରୀ ଅଦ୍ରିଜା ମଞ୍ଜରୀ ସିଂଦେଓଙ୍କ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଏବେ ଅଦ୍ରିଜା ମଞ୍ଜରୀ ବଲାଙ୍ଗୀର ଏସ୍ପିଙ୍କୁ ଦେଇଥିବା ଏକ ଇ-ମେଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ଅଦ୍ରିଜା ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସକୁ ଆସିବା ପାଇଁ ଏସ୍ପିଙ୍କୁ ଲିଖିତ ଜଣାଇ ସୁରକ୍ଷା ଲୋଡିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ମେ ୧ ତାରିଖରେ ସେ ବଲାଙ୍ଗୀର ଏସ୍ପିଙ୍କୁ ଇ-ମେଲ କରି ସୁରକ୍ଷା ଲୋଡିଥିଲେ। ଶୈଳଶ୍ରୀ ପ୍ୟାଲେସ ତାଙ୍କ ବୈବାହିକ ଘର ହୋଇଥିବାରୁ ସେଠାରେ ତାଙ୍କର ବ୍ୟକ୍ତିଗତ ସାମଗ୍ରୀ ରହିଛି। ତାକୁ ସେ ସେଠାରୁ ନେବାକୁ ଚାହୁଁଛନ୍ତି। ଉକ୍ତ ଇ-ମେଲରେ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ତାଙ୍କୁ ତାଙ୍କ ସ୍ବାମୀ ଓ ତାଙ୍କ ଷ୍ଟାଫ୍ ଶାରୀରିକ ଆକ୍ରମଣ କରିଥିବାରୁ ଏବଂ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଆବଶ୍ୟକ। ଗତ ମେ ୧ ତାରିଖର ଇ-ମେଲକୁ ନେଇ ବଲାଙ୍ଗୀର ଏସପିଙ୍କଠାରୁ କୌଣସି ପ୍ରତିକ୍ରିୟା ପାଇ ନ ଥିବାରୁ ୩୧ ମେ’ରେ ପୁଣି ଥରେ ଚିଠି ଲେଖିଥିବା ଦର୍ଶାଇଛନ୍ତି। ସେ ବଲାଙ୍ଗୀର ଆସି ତାଙ୍କ ସାମଗ୍ରୀ ନେବାବେଳେ ତାଙ୍କ ଶ୍ୱଶୁର ଘର ଲୋକଙ୍କଠାରୁ ଯେଭଳି କୌଣସି କ୍ଷତି ହେବନାହିଁ ସେଦିଗରେ ସୁରକ୍ଷା ସୁନିଶ୍ଚିତ କରିବାକୁ ସେ ଏସପିଙ୍କୁ ଇ-ମେଲ କରିଥିବା ଉଲ୍ଲେଖ କରିଛନ୍ତି। ଗତ ମେ ୧ ତାରିଖରେ ପ୍ରଥମ ଇ-ମେଲ କରିଥିବାବେଳେ ବଲାଙ୍ଗୀରରେ ଏସ୍ପି ଦାୟିତ୍ୱରେ ନୀତିନି କୁଶଲକର ଥିଲେ। ଇତିମଧ୍ୟରେ ତାଙ୍କର ବଦଳି ହୋଇଯାଇ ନୂଆ ଏସ୍ପି ଭାବେ ଋଷିକେଶ ଖିଲାରି ଯୋଗଦାନ କରିଛନ୍ତି। ୩୧ ତାରିଖରେ ଅଦ୍ରିଜା ପୁଣି ଥରେ ଇ-ମେଲ କରି ସୁରକ୍ଷା ଲୋଡିଥିବାବେଳେ ନୂଆ ଏସ୍ପି ଏବେ ଛୁଟିରେ ଥିତ୍ବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଭାରପ୍ରାପ୍ତ ଏସପି ଦାୟିତ୍ୱରେ ଥିବା ଆଡିଶନାଲ ଏସ୍ପି ସୁରେଶ ନାଏକଙ୍କୁ ଅଦ୍ରିଜାଙ୍କ ଇ-ମେଲ ସମ୍ପର୍କରେ ପଚରାଯିବାରୁ ଏ ସମ୍ପର୍କରେ ତାଙ୍କ ପାଖରେ ସୂଚନା ନାହିଁ ବୋଲି କହିଛନ୍ତି।ଅର୍କେଶ-ଅଦ୍ରିଜା ବିବାଦକୁ ନେଇ ଉତ୍ତରାଖଣ୍ଡସ୍ଥିତ ଡେରାଡୁନର ରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଅଦ୍ରିଜା ରାଜପୁର ଥାନାରେ ସ୍ବାମୀ ଅର୍କେଶ ନାରାୟଣ, ଶ୍ୱଶୁର ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ଶାଶୁ, ଦେଢ଼ଶୁର ପୂର୍ବତନ ଏମ୍ପି ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓ ଓ ବଡ ଯା’ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପାରିବାରିକ ହିଂସା ଓ ନିର୍ଯାତନାକୁ ନେଇ ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ବଲାଙ୍ଗୀର ରାଜପରିବାର ଡେରାଡୁନ୍ ସ୍ଥିତ ଘରେ କାମ କରୁଥିବା ଜଣ କର୍ମଚାରୀ ରବିତା ଝା ଅଦ୍ରିଜା, ତାଙ୍କ ବଡ ଭଉଣୀ ଋଚା ମଞ୍ଜରୀ ସିଂ, ବାପା ଅଜୟ ସିଂ ଏବଂ ଡ୍ରାଇଭର ସୋନୁଙ୍କ ବିରୋଧରେ ଡେରାଡୁନ୍ସ୍ଥିତ ରାଜପୁର ଥାନାରେ ଜାତିଗତ ପ୍ରସଙ୍ଗ ଓ ନିର୍ଯାତନାକୁ ନେଇ ଅଭିଯୋଗ କରିଛନ୍ତି। ଏହି ବିବାଦ ଥମିବାର ନଁା ନେଉ ନ ଥିବାବେଳେ ଅଦ୍ରିଜା ନିଜ ଶ୍ୱଶୁରାଳୟ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସକୁ ଆସିବା ପାଇଁ ଏସ୍ପିଙ୍କ ସୁରକ୍ଷା ଲୋଡିବା ପ୍ରସଙ୍ଗ ବିବାଦକୁ ଘନୀଭୂତ କରିବା ସହ ଚର୍ଚ୍ଚା ଓ ଆଲୋଚନାକୁ ସରଗରମ କରିଛି।