ଦେଶ- ବିଦେଶ

ଦୁଷ୍କର୍ମ ପୀଡିତାଙ୍କ ଜନ୍ମକୁଣ୍ଡଳୀ ଯାଞ୍ଚ କର: ହାଇକୋର୍ଟ

ଲଖନଉ: ଜଣେ ଦୁଷ୍କର୍ମ ପୀଡିତାଙ୍କ ଜନ୍ମକୁଣ୍ଡଳୀ ଯାଞ୍ଚ କରିବାକୁ ଲଖନଉ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ଗୋବିନ୍ଦ ରାୟ ନାମକ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ବିଚାରପତି ଜଷ୍ଟିସ ବ୍ରିଜରାଜ ସିଂ ଏହି ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ଲଖନଉର ଚିନହଟ ଥାନାରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ଦୁଇ ପରିବାରର ସହମତି ପରେ ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ବିବାହ ସ୍ଥିର କରାଯାଇଥିଲା | ବିବାହ ପୂର୍ବରୁ ଉଭୟ ଫୋନରେ କଥାବାର୍ତ୍ତା ସାଙ୍ଗକୁ ଅନେକ ଥର ଭିଡିଓ କଲିଂ ମଧ୍ୟ କରିଥିଲେ | ତେବେ ଏହି ସମୟରେ ପୀଡିତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଅଭିଯୁକ୍ତ, ତାଙ୍କ ମା’ଙ୍କ ସହ ସମବେଦନା ଜଣାଇବାକୁ ଆସି ବିବାହ ବାହାନାରେ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଘରକୁ ଫେରିବା ପରେ ବିବାହ କରିବାକୁ ମନା କରିଦେଇଥିଲେ |ଏହାପରେ ପୀଡିତା ଜଣକ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଜେଲକୁ ପଠାଇଥିଲା। ତେବେ ହାଇକୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନେଇ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିବାହ ସ୍ଥିର ହୋଇନଥିଲା | ଉଭୟଙ୍କ ରାଶିଫଳ ପରସ୍ପରର ସମ୍ପର୍କୀୟଙ୍କୁ ମେଳାଇବା ପାଇଁ ଦିଆଯାଇଥିଲା | ଅଭିଯୁକ୍ତର ପୁରୋହିତଙ୍କ ମତରେ, ଝିଅର ରାଶିରେ ମଙ୍ଗଳ ଦୋଷ ଥିବାରୁ ବିବାହ ପାଇଁ ପୁଅର ସମ୍ପର୍କୀୟମାନେ ମନା କରିଦେଇଥିଲେ | ଅନ୍ୟପଟେ ପୀଡ଼ିତାଙ୍କ ଓକିଲ ଦାବି କରିଛନ୍ତି ଯେ ପୀଡ଼ିତାଙ୍କ ଜନ୍ମକୁଣ୍ଡଳୀରେ କୌଣସି ପ୍ରକାରର ମାଙ୍ଗଳିକ ଦୋଷ ନାହିଁ | ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ ଯୁବତୀଙ୍କ ରାଶିଫଳକୁ ଲଖନଉ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ପଠାଇଦେଇଛନ୍ତି | ଯୁବତୀଙ୍କ ରାଶିଫଳର ନିରପେକ୍ଷ ଅନୁଧ୍ୟାନ କରି ଜୁନ୍ ୨୬ ସୁଦ୍ଧା ଦେବାକୁ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *