ଦେଶ- ବିଦେଶ

ସିବିଆଇ ତଦନ୍ତ ସହାୟକ ହେବନି: ମମତା

କୋଲକାତା, : ଓଡ଼ିଶାରେ ୩ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)କୁ ଦିଆଯାଇଛି। ତେବେ ଏହି ତଦନ୍ତରୁ କୌଣସି ଫଳ ମିଳିବ ନାହିଁ ବୋଲି ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ କୋଲକାତାର ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ରେଳ ଦୁର୍ଘଟଣା ଆହତମାନଙ୍କୁ ଭେଟିବା ପରେ ଏହା କହିଛନ୍ତି। ୧୨ ବର୍ଷ ପୂର୍ବେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାର ତଦନ୍ତ ସେ ସିବିଆଇକୁ ଦେଇଥିଲେ। ହେଲେ ସେଥିରୁ କୌଣସି ଫଳ ମିଳି ନ ଥିଲା। ସେହିପରି ସାଇନ୍ଥିଆ ମାମଲା ସିବିଆଇ ନେଇଥିଲେ ମଧ୍ୟ କିଛି ଫଳାଫଳ ମିଳି ନ ଥିଲା। ସିବିଆଇ ଆପରାଧିକ ମାମଲାର ତଦନ୍ତ କରିଥାଏ, ଦୁର୍ଘଟଣାର ନୁହେଁ। ଏଥିପାଇଁ ରେଲଓ୍ବେ ସେଫ୍‌ଟି କମିଶନ ରହିଛି। ସତ୍ୟ କ’ଣ ତାହା ଲୋକେ ଜାଣିବା ଆବଶ୍ୟକ। ସତକୁ ଚାପିଦେବାର ସମୟ ଇଏ ନୁହେଁ ବୋଲି ମମତା କହିଛନ୍ତି।
ରେଳଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଦୃଷ୍ଟି ନ ଦେଇ ସେମାନଙ୍କ ଜୀବନ ସହ ଖେଳୁଥିବା କଂଗ୍ରେସ ଅଭିଯୋଗ କରିଛି। ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତକୁ ବିରୋଧୀ ଦଳ ସମାଲୋଚନା କରିଛି। ଅପରାଧର ତଦନ୍ତ ପାଇଁ ସିବିଆଇ ରହିଛି, ଟ୍ରେନ୍‌ ଦୁର୍ଘଟଣା ପାଇଁ ନୁହେଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ପ୍ରଯୁକ୍ତି, ଅନୁଷ୍ଠାନଗତ ଏବଂ ରାଜନୈତିକ ବିଫଳତାର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମସ୍ତ ଫମ୍ପା ସୁରକ୍ଷା ପ୍ରତିଶ୍ରୁତି ଏବେ ପଦାରେ ପଡ଼ିଛି। ସରକାର ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାର ପ୍ରକୃତ କାରଣ ପଦାକୁ ଆଣନ୍ତୁ ବୋଲି ଖାର୍ଗେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *