ମୁଖ୍ୟ ଖବର

ଉଚ୍ଚସ୍ତରୀୟ ବୈଠକ ଡାକିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ : ଓଡ଼ିଶାରେ ତିନିଦିନ ରହି ରେଳଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟର ତଦାରଖ କରିବା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ସକାଳେ ନୂଆଦିଲ୍ଲୀ ଫେରିଯାଇଛନ୍ତି । ଦିଲ୍ଲୀ ଫେରିବା ପରେ ରେଳମନ୍ତ୍ରୀ ମଙ୍ଗଳବାର ଅଧିକାରୀଙ୍କ ସହ ପୃଥକ ବୈଠକ କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ରେଳମନ୍ତ୍ରୀ ରେଳବାଇର ସମସ୍ତ ଜୋନର ଜେନେରାଲ ମ୍ୟାନେଜରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବେ ବୋଲି ସୂତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ରେଳମନ୍ତ୍ରୀ ସୁରକ୍ଷାକୁ ନେଇ କୌଣସି ସାଲିସ୍ ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ଷ୍ଟେସନ ଓ ସ୍ୱୟଂଚାଳିତ ରୁଟର ସୁରକ୍ଷା ଅଡିଟ୍ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଡିଟ୍ ରିପୋର୍ଟ ସିଧାସଳଖ ରେଳବାଇ ବୋର୍ଡକୁ ପଠାଯାଉ ବୋଲି ସେ କହିଛନ୍ତି । ଆଜି ସନ୍ଧ୍ୟାରେ ରେଳମନ୍ତ୍ରୀ ବୋର୍ଡର ସମସ୍ତ ଜିଏମ୍ ଓ ଡିଆରଏମଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବେ। ଏହି ବୈଠକରେ ସମସ୍ତ ବୋର୍ଡ ସଦସ୍ୟ ଏବଂ ସେମାନଙ୍କ ମୁଖ୍ୟମାନେ ଉପସ୍ଥିତ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ସଂଧ୍ୟାରେ ହୋଇଥିବା ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୭୮କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *